ମୋହନ ସରକାରଙ୍କ କ୍ୟାବିନେଟରେ ନିଷ୍ପତି; ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିରର ୪ଟି ଦ୍ଵାର

ଶପଥ ଗ୍ରହଣ ପରେ ନୂତନ ସରକାରର ପ୍ରଥମ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆୟୋଜିତ ନୂଆ ସରକାରର ପ୍ରଥମ କ୍ୟାବିନେଟ୍ ରେ ୪ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ୧୩ ତାରିଖ ଅର୍ଥାତ ଆସନ୍ତାକାଲି ସକାଳୁ ପୁରୀ ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିବା ପାଇଁ ନୂଆ ସରକାରର ପ୍ରଥମ ନିଷ୍ପତ୍ତି ନିଆଯାଇଛି।
ଶ୍ରୀମନ୍ଦିର ପାଇଁ କର୍ପସ ଫଣ୍ଡ, କୃଷକଙ୍କ ପାଇଁ ସମୃଦ୍ଧ କୃଷକ ନୀତି ଏବଂ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ପାଇଁ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ନୂଆ ସରକାର। ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ, ପ୍ରଭାତୀ ପରିଡ଼ା ଏବଂ ସମସ୍ତ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହିତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଉପସ୍ଥିତ ଥିଲେ।
ବୈଠକ ଆରମ୍ଭ ପୂର୍ବରୁ ମୋହନ ମାଝୀ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଗ୍ରହଣ କରିଥିଲେ। କ୍ୟାବିନେଟ୍ ମିିଟିଂ ସରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଆସନ୍ତାକାଲି ଅର୍ଥାତ ୧୩ ତାରିଖ ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ସମୟରେ କ୍ୟାବିନେଟ୍ର ସମସ୍ତ ମନ୍ତ୍ରୀଙ୍କ ଉପସ୍ଥିତିରେ ଚାରି ଦ୍ଵାର ଖୋଲାଯିବ। ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତା ହ୍ରାସ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଦ୍ଵିତୀୟ ନିଷ୍ପତ୍ତି ସ୍ଵରୂପ ପୁରୀ ଶ୍ରୀମନ୍ଦିରର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ କର୍ପସ ଫଣ୍ଡ ଗଠନ କରାଯାଇଛି। ଏଥିରେ ୫୦୦ କୋଟି ଟଙ୍କାର ପାଣ୍ଠି ମଞ୍ଜୁରୀ ଦିଆଯିବ। ଏହି ଅର୍ଥ ଶ୍ରୀମନ୍ଦିରର ପରିଚାଳନା, ମରାମତି ଓ ସୌନ୍ଦର୍ଯ୍ୟକରଣରେ ଖର୍ଚ୍ଚ ହେବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ତୃତୀୟ ପ୍ରସ୍ତାବ ଭାବେ ଖୁବଶୀଘ୍ର ଆସିବ ସମୃଦ୍ଧ କୃଷକ ନୀତି ଯୋଜନା। ରାଜ୍ୟର ନୂଆ ସରକାର ‘ସମୃଦ୍ଧ କୃଷକ ନୀତି’ ଆଣିବା ପାଇଁ ଆଜି କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଧାନର ଏମଏସପି ୩୧୦୦ଟଙ୍କା ପ୍ରଦାନ କରାଯିବ । ଏହି ସମୃଦ୍ଧ କୃଷକ ନୀତି ପାଇଁ ବିସ୍ତୃତ ମାଗଦର୍ଶିକା ବିଭାଗକୁ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସରକାରର ୧୦୦ଦିନର କାର୍ଯ୍ୟକ୍ରମ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରାଯିବ ।
ଚତୁର୍ଥ ପ୍ରସ୍ତାବ ଭାବେ ମହିଳାଙ୍କ ପାଇଁ ପ୍ରଣିତ ସୁଭଦ୍ରା ଯୋଜନା ଉପରେ ନୂଆ ସରକାର ଗୁରୁତ୍ଵ ଦେଇଛନ୍ତି। ୧୦୦ ଦିନ ଭିତରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ମିଳିବ। ମହିଳା ହିତାଧିକାରୀଙ୍କୁ ୫୦ହଜାର ଟଙ୍କାର ନଗଦ ଭାଉଚର ପ୍ରଦାନ ନିମନ୍ତେ ସମ୍ପୂର୍ଣ୍ଣ ଗାଇଡଲାଇନ୍ ଓ ମାର୍ଗଦର୍ଶିକା ପ୍ରସ୍ତୁତ ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ବିଜେପି ସରକାରର ପ୍ରଥମ ୧୦୦ଦିନର କାର୍ଯ୍ୟକ୍ରମରେ ସାମିଲ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି।