ଜମ୍ମୁ-କାଶ୍ମୀରରେ ତୀର୍ଥଯାତ୍ରୀ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣା; ନିଜକୁ ଦାୟୀ କଲା ଟିଆରଏଫ୍

0

ଜମ୍ମୁ-କାଶ୍ମୀର ରିୟାସି ଜିଲ୍ଲାରେ ରବିବାର ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଉପରେ ଆତଙ୍କବାଦୀ ଆକ୍ରମଣକୁ ନେଇ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି ହୋଇଛି । ଏହି ଆତଙ୍କବାଦୀ ଆକ୍ରମଣରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଏହି ଆକ୍ରମଣ ପାଇଁ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଙ୍ଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ବା ଟିଆରଏଫ୍ ଓ ଲସ୍କର-ଇ-ତୋଇବା ନିଜକୁ ଦାୟୀ କରିଛି।

ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଟିଆର୍ଏଫ୍ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିବା ସହ କଡା ଚେତାବନୀ ଦେଇଛି। ଟିଆରଏଫ କହିଛି ଯେ ଏହା କେବଳ ଆରମ୍ଭ ମାତ୍ର। ଆଗକୁ ଆହୁରି ଆକ୍ରମଣ କରାଯିବ। ପର୍ଯ୍ୟଟକ ଏବଂ ପ୍ରବାସୀଙ୍କ ଉପରେ ଅଧିକ ଆକ୍ରମଣ କରିବାକୁ ଟିଆର୍ଏଫ୍ ଧମକ ଦେଇଛି ।

ରବିବାର ତୀର୍ଥ ଯାତ୍ରୀଙ୍କୁ ବୈଷ୍ଣୋଦେବୀ ନେଇ ଯାଉଥିବା ଏକ ବସ୍ ଉପରକୁ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କରିଥିଲେ। ଏହାପରେ ଭାରସାମ୍ୟ ହରାଇ ବସ୍ଟି ଖାଇକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ୩୦ରୁ ଅଧିକ ଆହତ ହୋଇଥିବା ବେଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ମାମଲାରେ ଏବେ ଏନ୍ଆଇଏ ଟିମ୍ ଘାଟଣାସ୍ଥଳକୁ ଯାଇ ଯାଞ୍ଚ ଆରମ୍ଭ କରିଛି। ସେପଟେ ସୁରକ୍ଷାକର୍ମୀଙ୍କ ତରଫରୁ ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ଆତଙ୍କବାଦୀଙ୍କୁ କାବୁ କରିବାକୁ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି । ଜଙ୍ଗଲକୁ ଘେରାବନ୍ଦୀ କରି କମ୍ବିଂ ଅପରେସନ କରାଯାଉଛି । ଆତଙ୍କବାଦୀଙ୍କୁ ଖୋଜିବାକୁ ଡ୍ରୋନ ଓ ହେଲିକପ୍ଟରର ସାହାଯ୍ୟ ନେଉଛନ୍ତି ଯବାନ। ଜମ୍ମୁ କାଶ୍ମୀରର ଡିଜାଷ୍ଟର ରେସପନ୍ସ ଟିମକୁ ମୁତୟନ କରାଯାଇଛି। ସେପଟେ ଆକ୍ରମଣ ପରେ ଅମିତ ଶାହ ଏହି ଆତଙ୍କବାଦୀ ଆକ୍ରମଣରେ ସାମିଲ ଲୋକଙ୍କୁ ଛଡା ଯିବ ନାହିଁ ବୋଲି କହିଛନ୍ତି।

Leave a comment