ଖାଇକୁ ଖସିଲା ଭାରତୀୟ ସେନା ଗାଡି; ୯ ଯବାନ ସହିଦ
ଭାରତୀୟ ସେନାର ଏକ ଗାଡି ଗଭୀର ଖାଇକୁ ଖସିପଡିଛି। ଏହି ଦୁର୍ଘଟଣାରେ ୯ ଜଣ ଯବାନ ସହିଦ ହୋଇଥିବା ଜଣାପଡିଛି। ଲଦାଖର କ୍ୟାରି ସହରଠାରୁ ୭ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଏହି ଘଟଣାରେ ଆଉ କିଛି ଯବାନ ଆହତ ହୋଇଥିବା ଖବର ମିଳିଛି।
ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ଏହି ଦୁର୍ଘଟଣା ଘଟିଛି। ୧୦ ଜଣ ଯବାନଙ୍କୁ ନେଇ ଯାଉଥିବା ସେନାର ଏହି ଟ୍ରକ୍ ରାସ୍ତାରୁ ଖସି ନଦୀରେ ପଡ଼ି ଯାଇଥିଲେ। ଗୋଟିଏ ଟ୍ରକରେ ୨ ଜୁନିୟର କମିଶନ ଅଫିସର ଏବଂ ୭ ଯବାନ ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଗୋଟିଏ ଏସୟୁଭି, ଟ୍ରକ୍ ଓ ଆମ୍ବୁଲାନ୍ସ ସମେତ ୩ଟି ଗାଡ଼ିରେ ମୋଟ ୩୪ ଜଣ ଯବାନଙ୍କୁ ନେଇ ଗଠିତ ଏକ ରେକି ପାର୍ଟି ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ସେନାର ବରିଷ୍ଠ ଅଧିକାରୀ ଓ ସେନାର ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି । ତେବେ ଏହି ଘଟଣାରେ ସେନା ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।