ସ୍କୁଲ୍ ଭ୍ୟାନ୍ ଦୁର୍ଘଟଣାରେ ୮ ଜଣ ଛାତ୍ରଛାତ୍ରୀ ଆହତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍କୁଲ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ। ରାସ୍ତା କଡରେ ଛିଡ଼ାହୋଇଥିବା ଏକ ଜେସିବିକୁ ଧକ୍କା ଦେଇଛି ଏକ ସ୍କୁଲ ଭ୍ୟାନ୍। ଏହିଘଟଣା ଟି ଆଜି ସକାଳେ ସମ୍ୱଲପୁରରେ ଘଟିଥିବା ବେଳେ ଏଥିରେ ୮ ଜଣ ଛାତ୍ର ଛାତ୍ରୀ ଆହତ ହୋଇଛନ୍ତି। ଡାକ୍ତରଖାନାରେ ସେମାନଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ସମ୍ୱଲପୁର ର ସେଣ୍ଟ୍ ଜୋଶେଫ୍ ସ୍କୁଲ୍ର ଏକ ଭ୍ୟାନ୍ ୧୫ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ଅମ୍ବିରାନଗରରେ ପାର୍କିଂରେ ଛିଡ଼ା ହୋଇଥିବା ଏକ ଜେସିବିକୁ ଭ୍ୟାନ୍ଟି ପଛପଟୁ ଧକ୍କା ଦେଇଥିଲା। ଯାହାଫଳରେ ୮ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ସେମାନଙ୍କୁ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।
୧୦ ଜଣ ବସିବାର ବ୍ୟବସ୍ଥା ଥିବା ଭ୍ୟାନ୍ରେ ୧୫ ଜଣଙ୍କୁ କାହିଁକି ନିଆ ଯାଉଥିଲା ବୋଲି ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନଥିବାବେଳେ ଦୁର୍ଘଟଣା ପରେ ଗାଡ଼ି ଚାଳକ ସେ ସ୍ଥାନରୁ ଫେରାର ହୋଇଯାଇଛି। ପୋଲିସ୍ ଘଟଣାର ତଦନ୍ତ କରୁଛି। ଭ୍ୟାନ୍ର ଷ୍ଟିଅରିଂ ଲକ୍ ହୋଇଯିବା ଯୋଗୁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଥିବାବେଳେ ଗାଡ଼ି ଚାଳକକୁ ପୋଲିସ୍ ଖୋଜୁଛି।