୭୯୪ ମଦୁଆ ଡ୍ରାଇଭର ଧରା ହେଲେଣି
କମିଶନରେଟ ପୋଲିସର ମଦୁଆ ଧରା ଅଭିଯାନ
ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଚାଲିଛି ମଦୁଆ ଧରା ଅଭିଯାନ। ମଦୁଆ ଡ୍ରାଇଭରଙ୍କୁ ଧରିବାକୁ ଅଣ୍ଟା ଭିଡିଲା କମିଶନରେଟ ପୋଲିସ। ରାଜଧାନୀ ଭୁବନେଶ୍ଵରରେ ମଦୁଆ ଗାଡି ଚାଳକଙ୍କୁ ପାନେ ଦେବ କମିଶନରେଟ ପୋଲିସ। ନିଶା ସେବନ କରି ଗାଡି ଚଳାଉଥିଲେ ଜରିମନା ଆଦାୟ କରୁଛି ପୁଲିସ। ୧୫ ଦିନରେ ଧରାହେଲେଣି ୭୯୪ ମଦୁଆ। ଆଦାୟ ହେଲାଣି ୪ଲକ୍ଷ ୬୩ ହଜାର ଜରିମାନା।
ଗତ ୧୫ ଦିନ ହେଲାଣି ଜାରି ରହିଛି ମଦୁଆ ଚାଳକଙ୍କ ବିରୋଧରେ ସ୍ଵତନ୍ତ୍ର ଅଭିଯାନ। ମଞ୍ଚେଶ୍ଵର, ଲକ୍ଷ୍ମୀ ସାଗର, ଖଣ୍ଡଗିରି, ସହିଦ ନଗର, ଖାରବେଳ ନଗର, ବାଲିପାଟଣା, ବାଲିଅନ୍ତା ଓ କ୍ୟାପିଟାଲ ଥାନା ଆସି ଥାନା ଅଞ୍ଚଳରେ ଅଧିକ ମଦୁଆ ଡ୍ରାଇଭର ଧରାପଡିଛଁନ୍ତ। ଏହା ସହ ରାଜଧାନୀରେ ଅନେକ ଛକରେ ନିଶାସେବନ କରିଥିବା ଯୁବକଙ୍କୁ ପୁଲିସ ଓ ପରିବହନ ବିଭାଗ ମିଶି ଯାଞ୍ଚ କରିଥିଲା। ଭୁବନେଶ୍ଵରର ମୋଟ ୩୧ଟି ସ୍ଥାନରେ ନାକାବନ୍ଦୀ କରି ବ୍ଲକିଂ ଓ ଚେକିଂ କରାଯାଉଛି। ସେହିପରି ନିଶା ସେବନ କରି ଗାଡି ଚଳାଉଥିବାରୁ ସହିଦ ନଗର ଓ ଭରତପୁର ଥାନା ଅଞ୍ଚଳର ୧୨ ଚାଳକଙ୍କୁ ଗିରଫ କରିଛି ପୁଲିସ।
ମଦୁଆ ଚାଳକଙ୍କଠୁ ଜରିମନା ଆଦାୟ ସହ ସେମାନଙ୍କ ଲାଇସେନ୍ସ ରଦ୍ଦ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି କମିଶରେଟ ପୁଲିସ। ଏଯାଏଁ ୧୪୫ ମଦୁଆ ଚାଳକଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି। ଏହା ସହ କିଛି ଗାଡି ଚାଳକଙ୍କ ଲାଇସେନ୍ସ ବାତିଲ କରିବାକୁ ପରିବହନ ବିଭାଗକୁ ଚିଠି ଲେଖାଯାଇଛି। ରାତିରେ ନିଶାସେବନ କରି ଅନେକ ଯୁବକ ଚୋରି ଓ କାଗଜପତ୍ର ନଥିବା ଗାଡି ଚଳାଉଛନ୍ତି। ସେମାନଙ୍କୁ ଥାନାରେ ଅଟକ ରଖାଯାଇଛି। ଏହା ସହ ସେମାନଙ୍କଠୁ ଗାଡି ଜବତ କରାଯାଇଛି। ଏହିକ୍ରମରେ ମୋଟ ୨୨ଟି ଗାଡି ଜବତ କରାଯାଇଛି।