୭ ମହଲା ବିଲ୍ଡିଂରେ ରହିବେ ୧୪୦ ବିଧାୟକ, କଲ୍ୟାଣ ମଣ୍ଡପ ଓ ମର୍ଣ୍ଣିଂ ୱାକର ରହିବ ବ୍ୟବସ୍ଥା

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଓଡ଼ିଶା ବିଧାୟକଙ୍କ ପାଇଁ ତିଆରି ହେବ ମଲ୍ଟି ବିଲ୍ଡିଂ । ବିଧାନସଭା ନିକଟରେ ଥିବା ବିଧାୟକ କଲୋନୀର କିଛି ଅଂଶକୁ ଭଙ୍ଗାଯାଇ କରାଯିବ ଏହି ବିଲ୍ଡିଂ । ଭାରତର ମଡର୍ଣ୍ଣ ବିଧାନସଭା ଭାବେ ପ୍ରସ୍ତୁତ ହେବ ଓଡିଶା ବିଧାନସଭା । ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହାକୁ ନେଇ ସୂଚନା ଦେଇଛନ୍ତି । ଆଜି ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ପୂର୍ତ୍ତ ସଚିବ କ୍ରିଷ୍ଣ କୁମାର ପ୍ରମୁଖ ଉପସ୍ଥିତ ରହିଥିଲେ ।
ସୂଚନା ଅନୁଯାୟୀ, ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି, ଆଧୁନିକ ଶୈଳୀରେ ବିଧାୟକଙ୍କ ବାସଭବନ ନିର୍ମାଣ ହେବ । ଏହି ମଲ୍ଟି ବିଲ୍ଡିଂ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ କରାଯାଇଛି । ଏଥିପାଇଁ ୪୦୦ କୋଟି ଟଙ୍କା ଖର୍ଚ୍ଚ ଲକ୍ଷ୍ୟ ରଖାଯାଇଛି । ଏଥିରେ କଲ୍ୟାଣ ମଣ୍ଡପ ଓ ମର୍ଣ୍ଣିଂ ୱାକ ପାଇଁ ସ୍ୱତନ୍ତ୍ର ସ୍ଥାନ ତିଆର ହେବ । ୭ ମହଲା କୋଠାରେ ୧୪୦ ବିଧାୟକଙ୍କ ପାଇଁ ତିଆରି ହେବ କ୍ବାର୍ଟର୍ସ | ଓଡିଶା ବିଧାନସଭାର ମଧ୍ୟ ନବୀକରଣ କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।