ଟ୍ରକ୍‌ ଭିତରେ ପଶିଗଲା ଭ୍ୟାନ୍‌, ୬ ପରୀକ୍ଷାର୍ଥୀ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟ୍ରକ୍‌ ଭିତରେ ଭ୍ୟାନ୍‌ ପଶି ୬ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ ପରୀକ୍ଷାର୍ଥୀ ବୋଲି ଜଣାପଡିଛି। ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ରାଜସ୍ଥାନ ଜୟପୁରର ଚକସୁ ରୋଡ୍‌ରେ।

ପୁଲିସ ସୂଚନା ମୁତାବକ, ଏହି ଭ୍ୟାନ୍‌ରେ ମୋଟ ୧୧ ଜଣ ଯାତ୍ରୀ ଥିଲେ। ସମସ୍ତେ ରାଜସ୍ଥାନ ଟିଚର୍ସ ଏଲିଜିବିଲିଟ୍‌ ଟେଷ୍ଟ(REET) ଦେବା ପାଇଁ ବାରାଁରୁ ସିକର ଯାଉଥିଲେ। ଏହି ସମୟରେ ହଠାତ୍‌ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଠିଆ ହୋଇଥିବା ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଏପରିକି ଭ୍ୟାନ୍‌ଟି ଦ୍ରୁତ ଗତିରେ ଆସି ଟ୍ରକ୍‌ ପଛଭାଗରେ ପଶି ମଧ୍ୟ ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ଅଛି।

ସୂଚନା ମୁତାବକ REET ପରୀକ୍ଷା ଆସନ୍ତାକାଲି ଅନୁଷ୍ଠିତ ହେବ। ଏହି ପରୀକ୍ଷା ପାଇଁ ୧୬ ଲକ୍ଷ ୨୨ ହଜାର ୧୯ ପରୀକ୍ଷାର୍ଥୀ ଆବେଦନ କରିଛନ୍ତି। ୩୯୯୩ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ହେବ। ରାଜସ୍ଥାନ ରାଜ୍ୟ ସରକାର ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ବସ୍‌ ସେବା ମଧ୍ୟ ଘୋଷଣା କରିଛନ୍ତି।

Leave a comment