ଜମି ଜାଲିଆତିରେ ସବରେଜିଷ୍ଟଙ୍କ ମାଷ୍ଟରମାଇଣ୍ଡ

ବିଲଡର ସମେତ ୬ଜଣଙ୍କ ନାଁରେ ମାମଲା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀର ପରିସୀମା ବଢିବା ସହ ସହର ଓ ଉପକଣ୍ଠରେ ଜମି ଜାତିଆତି ମଧ୍ୟ ବଢିବାରେ ଲାଗିଛି । କିଛି ତଥାକଥିତ ବିଲଡରଙ୍କ ସହ ମିଶି ସରକାରୀ ଅଧିକାରୀ ତଥା ସବରେଜିଷ୍ଟାର ମଧ୍ୟ ଏଥିରେ ସାମିଲ ଅଛନ୍ତି । ଦୁଇ ସବରେଜିଷ୍ଟାରଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହେବା ପରେ ଏଭଳି ଘଟଣା ଏବେ ଲୋକଲୋଚନକୁ ଆସିଛି । ସବରେଜିଷ୍ଟାର ଅଶ୍ୱିନୀ କୁମାର ସ୍ୱାଇଁ, ହୃଷିକେଶ ତ୍ରିପାଠୀଙ୍କ ସମେତ ୬ ଜଣଙ୍କ ନାଁରେ ପୁଲିସ ମାମଲା ରୁଜୁ କରିଛି । କେଶ ନମ୍ବର ୧୫୫/୨୧ ଦଫା ୪୨୦, ୪୬୫, ୪୬୬, ୪୬୭, ୪୬୮,୧୬୬,୧୬୭, ୧୮୮, ୨୧୭, ୨୧୮, ୨୯୪, ୩୨୩, ୫୦୬ ଓ ୩୪ରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି ।
ସୂଚନା ଅନୁସାରେ, ଜଟଣୀ ରାଜାବଜାର ଅଂଚଳର ରବିନ୍ଦ୍ର କୁମାର ବଳିଆରସିଂହ ପାରିବାରିକ ବିବାଦକୁ ନେଇ ପୁଅ ସରୋଜ କୁମାର ବଳିଆରସିଂହଙ୍କୁ ଅଲଗା କରିଦେଇଥିଲେ । ପରେ ଅନ୍ୟ ପୁଅ ମନୋଜ ବଳିଆରସିଂହଙ୍କ ପରୋଚନାରେ ପୈତୃକ ସମ୍ପତିରୁ ସରୋଜକୁ ବଂଚିତ କରି ତାହାକୁ ବିକ୍ରି କରିବାକୁ ଯୋଜନା କରିଥିଲେ । ଏହା ଜାଣିବା ପରେ ସରୋଜ ୨୦୧୯ରେ ପୈତୃକ ସମ୍ପତିରୁ ଭାଗ ପାଇବା ଲାଗି ଭୁବନେଶ୍ୱର ସିଭିଲ ଜଜ (ସିନିଅର ଡିଭିଜନ)ଙ୍କ ନିକଟରେ ଆବେଦନ କରିଥିଲେ । କୋର୍ଟ ଏହାର ବିଚାର କରି ଜମି ବାଡି ବିକ୍ରି ଉପରେ ରହିତାଦେଶ ଜାରି କରିଥିଲେ । ଅଦାଲତଙ୍କ ଏହି ନିର୍ଦ୍ଦେଶନାମାକୁ ସରୋଜ ସବରେଜିଷ୍ଟାରଙ୍କ କାର୍ଯ୍ୟାଳୟରେ ଦାଖଲ କରିଥିଲେ ।
ହେଲେ ଏହାର ମାତ୍ର କେଇଦିନ ପରେ ଜଟଣୀ ଖୋଲାଦ୍ୱାର ମୌଜାରେ ଥିବା .୫୩୯ ଡେସିମିଲ ଜମିକୁ ରବୀନ୍ଦ୍ର, ପୁଅ ମନୋଜ ବିକ୍ରି କରିଥିଲେ । କୋର୍ଟଙ୍କ ରହିତାଦେଶ ଥିବା ସତ୍ୱେ ସବରେଜିଷ୍ଟାର ଅଶ୍ୱିନୀ ସ୍ୱାଇଁ ଓ ପରବର୍ତି ସମୟରେ ହୃଷିକେଶ ତ୍ରିପାଠୀ ବିବାଦୀୟ ଜମିକୁ ବିକ୍ରି କରିବାରେ ସମସ୍ତ ସହଯୋଗ କରିଥିଲେ । କୋର୍ଟଙ୍କ ରହିତାଦେଶ ନିର୍ଦ୍ଦେଶ ଥିବା ସତ୍ୱେ ସେ କିପରି ବିବାଦୀୟ ଜମିକୁ ବିକ୍ରି କରିବାରେ ସହଯୋଗ କଲେ ବୋଲି ସବରେଜିଷ୍ଟାରରୁ ପଚାରିବାରୁ, ସେମାନେ ତାଙ୍କୁ ଧମକଚମକ ଦେଇଥିଲେ । ଏପରିକି କୋର୍ଟଙ୍କୁ ଗାଳିଗୁଲଜ କରିଥିଲେ ।
ପରେ ଜଣାପଡିଲା ଏହି ବିବାଦୀୟ ଜମି କିଣାବିକାରେ କଂଗ୍ରେସ ବିଧାୟକ ମହମ୍ମଦ ମୁକିମଙ୍କର ମଧ୍ୟ ସଂପୃକ୍ତି ରହିଛି । ସବରେଜିଷ୍ଟାରଙ୍କ ଉପରେ ଚାପ ପକାଇ ଶ୍ରୀମୁକିମ ଚଂଚକତା କରି ଶଗମାଛ ମୂଲ୍ୟରେ ଉକ୍ତ ବିବାଦୀୟ ଜମିକୁ ନିଜ ଝିଅ ନାଁରେ ହାତେଇ ନେଇଛନ୍ତି । ଖାଲି ଏତିକି ନୁହେଁ ମେଟ୍ରୋ ଗାର୍ଡେନ ଇଷ୍ଟେଟ ପ୍ରାଇଭେଟ ଲିମିଟେଡ ବିଲଡର ସଂସ୍ଥା ମଧ୍ୟ ଏହି ଜାଲିଆତିରେ ସଂପୃକ୍ତ ଅଛି । ଏନେଇ ସରୋଜ କୋର୍ଟରେ ଅଭିଯୋଗ କରିବା ପରେ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଜଟଣୀ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ସେହିପରି କୋର୍ଟଙ୍କ ନିର୍ଦେଶକୁ ଅବମାନନା କରିବା ଓ ଜମି ଜାଲିଆତିରେ ସବ ରେଜିଷ୍ଟାରଙ୍କ ସମ୍ପୃତି ଜଣାପଡିବା ପରେ ସରୋଜ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଥି ସହିତ ଆଜିଆରରେ ଅଭିଯୋଗ କରିବା ପରେ ଏହାର ତଦନ୍ତ ଆରମ୍ବ ହୋଇଛି।
ଅନ୍ୟପକ୍ଷରେ ଜମି ଜାତିଆତି ଓ ଜମି ଦୁର୍ନିତିକୁ ରୋକିବା ଲାଗି ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ନେଉଛନ୍ତି । ସ୍ୱଚ୍ଛତା ହିଁ ସରକାରଙ୍କ ଏକମାତ୍ର ଲକ୍ଷ୍ୟ । ହେଲେ ଯେଉଁଠି କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ସବରେଜିଷ୍ଟାର ଓ ରାଜନେତା ଜମି ଜାତିଆତି କରିବେ, ସେଠି ସରକାର କି ପଦକ୍ଷେପ ନେବେ ବୋଲି ଚର୍ଚ୍ଚା ହେଉଛି ।

Leave a comment