ଝାରସୁଗୁଡାକୁ ନବୀନ ଦେଲେ ୬୧୮ କୋଟି ଟଙ୍କା ପ୍ରକଳ୍ପର ଉପହାର, ବିଜେଡିରେ ଯୋଗଦେଲେ ନବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜୁହାର କହି ଝାରସୁଗୁଡା ଅମଲିପାଲ୍ଲୀ ଜନସଭାରେ ଅଭିଭାଷଣ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । ସେହିପରି ବିଜେଡିରେ ସାମିଲ ହୋଇଥିବାରୁ ନବ ଦାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ନବୀନ । ଆଜି ୬ ଶହ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରି ନବୀନ କହିଛନ୍ତି ଆଗକୁ ବେଲପାହାଡ଼ରେ କ୍ୟାନ୍ସର ମେଡ଼ିକାଲ ଓ ଚକିପଦାରେ ରେଲୱେ ଓଭରବ୍ରିଜ ଖୁବଶୀଘ୍ର ତିଆରି ହେବ । ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣ ରେ କେନ୍ଦ୍ରକୁ ଟାର୍ଗେଟ କରି କହିଛନ୍ତି କିଛି ଦିନ ତଳେ ଝାରସୁଗୁଡ଼ାରେ ବିମାନମନ୍ଦର ଉଦଘାଟିତ ହୋଇଥିଲା । ହେଲେ ବିମାନବନ୍ଦରରୁ ବିମାନ ଉଡ଼ିଲା ନାହିଁ । ଓଡି଼ଶା ସରକାର ପାଣ୍ଠି ଦେବା ପାଇଁ କହିଥିଲେ ମଧ୍ୟ ଏଯାଏଁ ବିମାନ ଚଳାଚଳ ସମ୍ଭବ ହୋଇପାରିନାହିଁ । ଝାରସୁଗୁଡ଼ାର ଉର୍ଣ୍ଣତ୍ତି ପାଇଁ ଗୋଟିଏ ଶତାବ୍ଦୀ ଏକ୍ସପ୍ରେସ ଦିଆଯାଉ ବୋଲି କେନ୍ଦ୍ର ନିକଟରେ ରାଜ୍ୟସରକାରଙ୍କ ତରଫରୁ ଦାବି ହୋଇଥିଲେ ମଧ୍ୟ କେନ୍ଦ୍ରସରକାର ଏଥିପ୍ରତି ଧ୍ୟାନ ଦେଉନାହାନ୍ତି । କେନ୍ଦ୍ରର ଅବହେଳା ଯୋଗୁଁ ଓଡ଼ିଶା ହଜାର ହଜାର କୋଟି ଟଙ୍କା ହରାଉଛି ବୋଲି ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଜିଲ୍ଲା ଅମଲିପାଲିଠାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ପାଇଁ ୬୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା, ଲଖନପୁର ବ୍ଲକରେ ୩୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୬ଟି ଉଠା ଜଳସେଚନ ପ୍ରକଳ୍ପ ଓ ୧୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଝାରସୁଗୁଡ଼ା ଓ କିରମିରା ବ୍ଳକର ୨ଟି ଗ୍ରିଡ୍ ସବଷ୍ଟେସନକୁ ଉଦଘାଟନ କରିଛନ୍ତି । ସେହିପରି ୧୪୫ କୋଟି ଟଙ୍କା ବ୍ୟୟ ଅଟକଳରେ ଝାରସୁଗୁଡ଼ା କ୍ୟାନସର କେୟାର ହସ୍ପିଟାଲ, ୩୮୮ କୋଟି ଟଙ୍କା ବ୍ୟୟ ଅଟକଳର ଜଳସେଚନ ପ୍ରକଳ୍ପ, ୩୫ କୋଟି ଟଙ୍କା ବ୍ୟୟ ଅଟକଳରେ ଚଉକିପଡ଼ା ରେଳ ଓଭରବ୍ରିଜର ଶିଳାନାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ୩୪୮୯ ଏସଏଚଜିଙ୍କୁ ଡିଜିଟାଲ ସଶକ୍ତିକରଣ ସହାୟତା ବାବଦରେ ୧ କୋଟି ଟଙ୍କା ପ୍ରଦାନ ସହିତ ୧୦୦୨ ଭୂମିହୀନ ପରିବାରକୁ ଭୂମିପଟ୍ଟା ଆବଣ୍ଟନ କରିଛନ୍ତି ।
ଝାରସୁଗୁଡାର କଂଗ୍ରେସ ବିଧାୟକ ନବ ଦାସ ତାଙ୍କ ସମର୍ଥକଙ୍କ ସହ ଆଜି ଅମଲିପାଲ୍ଲୀଠାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଛନ୍ତି । ଝାରସୁଗଡା ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସମେତ ୫ଟି ବ୍ଲକର ସମସ୍ତ କଂଗ୍ରେସ କର୍ମୀ ଓ ସଭାପତି ମଧ୍ୟ ବିଜେଡିରେ ଯୋଗଦେଇଥିବା ଜଣାପଡିଛିି । ଗତ ଜାନୁଆରୀ ୧୬ ତାରିଖରେ ନବ ଦାସ କଂଗ୍ରେସର ପ୍ରାଥମିକ ସଦସ୍ୟ ଓ ପିସିସି କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେଇଥିଲେ ।