୨୨ ରୁ ୨୯, ୫ଟି ଜିଲ୍ଲା ହେବ ସମ୍ପୂର୍ଣ୍ଣ ଠପ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରୋନାକୁ ନେଇ କଠୋର ପଦକ୍ଷେପ । ଆସନ୍ତା କାଲିଠାରୁ ୨୯ ତାରିଖ ପର୍ଯ୍ୟନ୍ତ ୫ଟି ଜିଲ୍ଲା ସମ୍ପୂର୍ଣ୍ଣ ଲକ ଡାଉନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏହି ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ। ଏହି ୫ଟି ଯାକ ଜିଲ୍ଲାର ସବୁ ସହର ଓ ଗାଁ ସମ୍ପୂର୍ଣ୍ଣ ଭାବେ ଲକ ଡାଉନ ଘୋଷଣା କରାଯାଇଛି ।
ମୁଖ୍ୟମନ୍ତ୍ରୀ ନିଜ ବାର୍ତ୍ତାରେ କହିଛନ୍ତି, ସାଢେ ଚାରି କୋଟି ଓଡିଶାବାସୀ ମୋର ପରିବାର । ପ୍ରତିଟି ଓଡିଶାବାସୀଙ୍କ ଜୀବନ ମୋ ପାଇଁ ମୂଲ୍ୟବାନ । ମୋର ଅନୁରୋଧ, ସରକାରଙ୍କ ନିଷ୍ପତ୍ତିରେ ଆପଣମାନେ ସହଯୋଗ କରନ୍ତୁ । ନିଜର, ନିଜ ପରିବାର ଓ ବନ୍ଧୁମାନଙ୍କ ମଙ୍ଗଳ ପାଇଁ ଘରେ ରୁହନ୍ତୁ ।
ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ବିଦେଶରୁ ୩୦୦୦ରୁ ଅଧିକ ଲୋକ ଓଡିଶାକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ଲୋକ ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳ ଜିଲ୍ଲାର । ତେଣୁ ପ୍ରଥମ ପର୍ଯ୍ୟାୟରେ ଏହି ୫ଟି ଜିଲ୍ଲାର ସବୁ ସହର ଓ ସବୁ ଗାଁ ସହିତ ସମ୍ବଲପୁର, ଝାରସୁଗୁଡା, ବାଲେଶ୍ବର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ ଏବଂ ଯାଜପୁର ଟାଉନରେ ୨୨ ମାର୍ଚ୍ଚ ରବିବାର ସକାଳ ୭ଟା ରୁ ୨୯ ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ ପ୍ରାୟ ସବୁ ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
ଏହି ସମୟରେ ବସ, ଟ୍ରେନ ଓ ବିମାନ ସେବା ସହିତ ସଉଦା ଦୋକାନ, ପରିବା ଦୋକାନ, ମାଛ, ମାଂସ, ଅଣ୍ଡା, ଚିକେନ୍, ପେଟ୍ରୋଲ ପମ୍ପ, ମେଡିସିନ୍ ଦୋକାନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଥିବା ହୋଲସେଲ ଦୋକାନ ଆଦି ଖୋଲା ରହିବା ସହ ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ, ମ୍ୟୁନିସ୍ପାଲଟି ସେବା, ପୋଲିସ, ଅଗ୍ନିଶମ ସେବା, ପାନୀୟ ଜଳ ଓ ବିଦ୍ୟୁତ ସେବା ଆଦି ଜାରି ରହିବ ।