ସ୍ୱର୍ଗଦ୍ୱାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ କୋଟି ଟଙ୍କା ମଞ୍ଜୁର, ହଟିବ ବିଜୁବାବୁଙ୍କ ସମାଧି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ସ୍ୱର୍ଗଦ୍ୱାରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ହଟିବ ବିଜୁବାବୁଙ୍କ ସମାଧି । ସ୍ୱର୍ଗଦ୍ୱାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୫ କୋଟି ଟଙ୍କା ।
ସୂଚନା ଅନୁଯାୟୀ, ସ୍ୱର୍ଗଦ୍ୱାରର ବିକାଶ ଉଦ୍ଦେଶ୍ୟ ଆଜି ସଂଧ୍ୟାରେ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜବାବୁ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଅଛନ୍ତି । ସ୍ୱର୍ଗଦ୍ୱାରରେ ବିଜୁବାବୁଙ୍କ ଉଦ୍ଦେଶ୍ୟରେ ଯାହାକିଛି ଥିଲା ସେ ସବୁ ଏବେ ଓଡ଼ିଶାବାସୀଙ୍କ ସେବାରେ ଲାଗିବ । ସ୍ୱର୍ଗଦ୍ୱାରକୁ ବିଶ୍ୱାସର ପବିତ୍ର ଭୂମି ଭାବେ ବର୍ଣ୍ଣନା କରି ଏହାର ବିକାଶରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
୧୯୯୭ ଏପ୍ରିଲ ୧୭ରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଆଉ ପରବର୍ତ୍ତୀ ସମୟରେ ସ୍ୱର୍ଗଦ୍ୱାରର ପ୍ଲଟ ନମ୍ବର ୧୪୫୨ ଓ ୧୪୫୫ ମଧ୍ୟରେ ବିଜୁ ବାବୁଙ୍କର ସମାଧି କରାଯାଇଥିଲା । ସ୍ୱର୍ଗଦ୍ୱାରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁବାବୁଙ୍କ ସମାଧି ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ।
ଫନି ବାତ୍ୟା ପରେ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ସ୍ୱର୍ଗଦ୍ୱାରର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ଏବେ ଅଣ୍ଟା ଭିଡିଛନ୍ତି । ଫୋଏନିକ୍ସ ଫାଉଣ୍ଡେସନ ସହଯୋଗରେ ସ୍ୱର୍ଗଦ୍ୱାରର ବିକାଶ କରାଯିବ ।ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଥମ ପର୍ଯ୍ୟାୟରେ ୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଶବଦାହ ଠାରୁ ଆରମ୍ଭ କରି ଶବବାହକଙ୍କ ପାଇଁ ଏଠାରେ ଅତ୍ୟାଧୁନିକ ବ୍ୟବସ୍ଥା ରହିବ । ସବୁ ଋତୁରେ ସୁବିଧାରେ ଶବଦାହ ପାଇଁ ବ୍ୟବସ୍ଥା କରାଯିବ । ଶବବାହକଙ୍କ ସୁବିଧା ପାଇଁ ବିଶ୍ରାମ କକ୍ଷ ରହିବ । ଏହାବ୍ୟତୀତ ଅସ୍ଥି ସଂଗ୍ରହ ଓ ସଂରକ୍ଷଣ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ । କାମ ଆରମ୍ଭ ହେବାର ୬ ମାସ ମଧ୍ୟରେ ଏହାକୁ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ଅନେକ ମନ୍ତ୍ରୀ ଓ ସଚିବ ଉପସ୍ଥିତ ଥିଲେ ।
ସେହିପରି ବିଜେଡି ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) ନିଜେ ପୁରୀରେ ଉପସ୍ଥିତ ରହି ଶ୍ରୀମନ୍ଦିର ଚତୁରପାର୍ଶ୍ଵ ଉଚ୍ଛେଦ କାର୍ଯ୍ୟ ଓ ଏହାର ସୌନ୍ଦର୍ଯ୍ୟକରଣ ସମସ୍ତ କାର୍ଯ୍ୟର ତଦାରଖ କରୁଛନ୍ତି । ଅପରପକ୍ଷରେ ପୁରୀ ଶ୍ରୀମନ୍ଦିର ପ୍ରଶାସକ ଡାକ୍ତର କ୍ରିଷ୍ଣ କୁମାରଙ୍କ ତତ୍ୱାବଧାନରେ ବିଶ୍ଵ ଐତିହ୍ୟ ମାନ୍ୟତା ପାଇଁ ପୁରୀର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି ।