ଟ୍ରାଫିକ୍ ନିୟମ ଭାଙ୍ଗିଲେ ନାବାଳକ, କଟିଲା ୪୨ ହଜାର ଟଙ୍କାର ଫାଇନ୍
ଓଡିଶା ଫାଷ୍ଟ( ବ୍ୟୁରୋ):ଟ୍ରାଫିକ୍ ନିୟମ ଭାଙ୍ଗିବା ଅଭିଯୋଗରେ ନାବାଳକ ବାଇକ୍ ଚାଳକଙ୍କ ଉପରେ ହୋଇଛି ୪୨ ହଜାର ୫୦୦ ଟଙ୍କାର ଫାଇନ୍ । ଗାଡିରେ ୩ ଜଣ ବସିଥିବା ବେଳେ ଭୁଲ୍ ରାସ୍ତାରେ ବାଇକ୍ ଚଳାଇବା ଓ ଗାଡ଼ିର କାଗଜପତ୍ର ନ ଥିବା ଯୋଗୁଁ ଏହି ଫାଇନ୍ ହୋଇଥିବା ଜଣାଯାଇଛି।ଗତ ୬ ତାରିଖରେ ଭଦ୍ରକ ଭଣ୍ଡାରୀପୋଖରୀ କହଁରା ଛକରେ ଏହି ଘଟଣା ଘଟିଛି। ଟ୍ରାଫିକ୍ ନିୟମ ଭାଙ୍ଗିବା ଅଭିଯୋଗରେ ଜଣେ ନାବାଳକ କଲେଜ ଛାତ୍ରଙ୍କୁ ବଡ ଧରଣର ଫାଇନ୍ କରିଛନ୍ତି ବିଭାଗୀୟ ଅଧିକାରୀ । ଭଦ୍ରକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଟ୍ରାଫିକ ଇନ୍ସପେକ୍ଟର ଧନେଶ୍ୱର ନାୟକ ୧୬ ନମ୍ବର ଜାତୀୟ ରାଜପଥରେ ଗାଡି ଯାଞ୍ଚ ବେଳେ ଏହି ଜରିମାନା କରିଛନ୍ତି ।
ନାବାଳକ ଜଣକ ଅନ୍ୟ ଦୁଇ ସାଥିଙ୍କୁ ବସାଇ ଭୁଲ୍ ରାସ୍ତାରେ ଆସୁଥିଲେ । ତାଙ୍କ ପାଖରେ ଗାଡିର କୌଣସି ବୈଧ କାଗଜପତ୍ର ମଧ୍ୟ ନଥିଲା । ତେଣୁ ଗାଡି ମାଲିକଙ୍କ ନାଁରେ ଏତେ ପରିମାଣର ଚାଲାଣ କରାଯାଇଛି । ନାବାଳକଜଣକଙ୍କର ଆଧାରକାର୍ଡ ରଖି ଟ୍ରାଫିକ୍ ଇନ୍ସପେକ୍ଟର ତାଙ୍କୁ ଛାଡ଼ି ଦେଇଥିବା ଜଣାଯାଇଛି।