ଯବାନଙ୍କ ଏନକାଉଣ୍ଟରରେ ୪ ନକ୍ସଲ ନିହତ

0

ମହାରାଷ୍ଟ୍ର ଗଡଚରୋଲିରେ ଏନକାଉଣ୍ଟର । ପୋଲିସକୁ ବଡ଼ ସଫଳତା । ମଙ୍ଗଳବାର ସକାଳୁ ପୋଲିସ ଓ ନକ୍ସଲ ମୁହାଁମୁହିଁ ହୋଇଛନ୍ତି । ଯବାନଙ୍କ ଏନକାଉଣ୍ଟରରେ ୪ ନକ୍ସଲ ନିହତ ହୋଇଛନ୍ତି । ଅଧିକ ନକ୍ସଲ ଥିବା ସନ୍ଦେହରେ ସ୍ଥାନୀୟ ଅଞ୍ଚଳରେ ପୋଲିସ୍ ସର୍ଚ୍ଚ ଅପରେସନ ଜୋରଦାର କରିଛି ।

ଗଡ଼ଚରୋଲି ଆରକ୍ଷୀ ଅଧିକକ୍ଷଙ୍କ ସୂଚନା ମୁତାବକ, ଲୋକସଭା ନିର୍ବାଚନ ବେଳେ ଏକ ବଡ଼ ହମଲା ପାଇଁ ନକ୍ସଲ ସଂଗଠନ ଯୋଜନା କରୁଥିଲା ।

ଏନେଇ ନକ୍ସଲମାନେ ଗଡଚୋରଲି ଜଙ୍ଗଲରେ ମେଳି କରୁଥିଲେ । ଗୁଇନ୍ଦା ତଥ୍ୟ ମିଳିବା କ୍ଷଣି ମହାରାଷ୍ଟ୍ର ପୋଲିସ ଓ ସୁରକ୍ଷାବାହିନୀ ମିଳିତ ଭାବେ ଅପରେସନ କରିଥିଲେ । କୋଲାମର୍କା ପାହାଡ଼ ଠାରୁ ୫ କିଲୋମିଟର ଦୂରରେ ନକ୍ସଲ ଓ ପୋଲିସ ବାହିନୀ ମୁହାଁମୁହିଁ ହୋଇଥିଲେ । ପୋଲିସକୁ ଦେଖି ମାଓବାଦୀମାନେ ଫାୟାରିଂ କରିଥିଲେ । ତେବେ ଏହାର ପାଲଟା ଜବାବ ଦେଇଥିଲେ ମିଳିତ ବାହିନୀ । ଏହି ଏନକାଉଣ୍ଟରରେ ୪ଜଣ ହାର୍ଡକୋର୍ ନକ୍ସଲ ନିହତ ହୋଇଛନ୍ତି । ଅନ୍ୟପଟେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

ଏହି ଅପରେସନରେ ମହାରାଷ୍ଟ୍ର ପୋଲିସର ସ୍ପେଶାଲ ସି-୬୦ କମାଣ୍ଡୋ ଏବଂ CRPF ଯବାନ ସାମିଲ ଅଛନ୍ତି । ଏନକାଉଣ୍ଟର ପରେ ପୋଲିସ ନକ୍ସଲଙ୍କ ନିକଟରୁ ବିପୁଳ ପରିମାଣରେ ଗୋଳାବାରୁଦ ସହ ଏକ-୪୭ ରାଇଫଲ୍ ଜବତ କରିଛି । ତେବେ ନିହତ ହୋଇଥିବା ୪ ନକ୍ସଲଙ୍କ ମୁଣ୍ଡରେ ମହାରାଷ୍ଟ୍ର ପୋଲିସ ପକ୍ଷରୁ ୩୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା।

Leave a comment