ଘରକୁ ଫେରିବାକୁ ୪୮ ଘଣ୍ଟାରେ ପଞ୍ଜୀକରଣ କଲେଣି ୪ ଲକ୍ଷ ୮୬ ହଜାର  

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲକ ଡାଉନ ପାଇଁ ରାଜ୍ୟ ବାହାରେ ଫସି ରହିଥିବା ଓଡ଼ିଆଙ୍କୁ ଫେରାଇ ଆଣିବାକୁ ପ୍ରତି ପଞ୍ଚାୟତରେ ପଞ୍ଜୀକରଣ ଚାଲିଛି । ଏହାପାଇଁ ଏକ ସ୍ୱତନ୍ତ୍ର ପୋର୍ଟାଲ ତିଆରି ହୋଇଛି । ଏହି ପୋର୍ଟାଲରେ ପ୍ରବାସୀ ଓଡ଼ିଆ ନିଜେ କିମ୍ବା ତାଙ୍କ ସମ୍ପର୍କୀୟ ପଞ୍ଜୀକରଣ କରୁଛନ୍ତି । ଗତ ୪୮ ଘଣ୍ଟା ମଧ୍ୟରେ ୪ ଲକ୍ଷ ୮୬ ହଜାର ପଞ୍ଜୀକରଣ କରିଥିବା କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ।

ମେ ୩ ପରେ ଓଡିଶା ଫେରୁଥିବା ପ୍ରବାସୀ ଓଡ଼ିଆଙ୍କୁ କେମିତି କ୍ୱାରେଣ୍ଟାଇନରେ ରଖାଯିବ ଆଉ ସେମାନଙ୍କୁ କିପରି ସମସ୍ତ ବ୍ୟବସ୍ଥା ଯୋଗାଇ ଦିଆଯିବ ସେନେଇ ୬୭୯୮ଟି ଗ୍ରାମପଞ୍ଚାୟତରେ ନୋଡାଲ ଅଫିସରଙ୍କୁ ତାଲିମ ଦିଆଯାଇଛି । ସେହିପରି ବିନା ପଞ୍ଜୀକରଣରେ କେହି ଓଡିଶା ଆସିପାରିବେ ନାହିଁ । ପଞ୍ଜୀକରଣ ବେଳେ ଆଧାର ନମ୍ବର ଓ ମୋବାଇଲ ନମ୍ବର ବାଧ୍ୟତାମୂଳକ ।

ଅପରପକ୍ଷରେ ବାହାରେ ଫସିଥିବା ଓଡିଆମାନେ ଆସିବା ପରେ ସେମାନଙ୍କୁ ସିଧା ଗ୍ରାମପଞ୍ଚାୟତ ସ୍ତରରେ ଖୋଲା ଯାଇଥିବା ସ୍ୱାସ୍ଥ୍ୟ ଶିବିରକୁ ନିଆଯିବ । ସେଠାରେ ସେମାନଙ୍କୁ ୧୪ ଦିନ ସଙ୍ଗରୋଧରେ ରଖାଯିବ । ସେମାନଙ୍କର ଖାଇବା, ରହିବା ଓ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର ।

Leave a comment