୩ମାସ ପାଇଁ କୋହଳ ହେଲା ଟ୍ରାଫିକ ନିୟମ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚେକିଂ ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବ ଶୁଣି ଲୋକଙ୍କ ନିଦ ହଜିଯାଇଥିଲା । ସାରା ରାଜ୍ୟରେ ଆରଟିଓ ଅଫିସ ଆଗରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା । କେତେକ ସ୍ଥାନରେ ଲୋକ ନିଜ ହେଲମେଟ ଲାଇନରେ ରଖିଥିବା ଦେଖିବାକୁ ମିଳୁଥିଲା । ଲୋକ ଏପରି ହନ୍ତସନ୍ତ ହେଉଥିବା ଦେଖି ସରକାର ଟ୍ରାଫିକ ନିୟମ ୩ମାସ ପାଇଁ କୋହଳ କରିଛନ୍ତି ।

ସୂଚନା ଅନୁଯାୟୀ, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ବିଧାନସଭାରେ କହିଛନ୍ତି, ଲୋକଙ୍କ ଅସୁବିଧାକୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ଲାଇସେନ୍ସ ଓ ଗାଡି କାଗଜପତ୍ର ପ୍ରସ୍ତୁତି ପାଇଁ ସମୟ ସୀମା ୩ମାସ ବୃଦ୍ଧି କରିଥିବା ଘୋଷଣା କରିଛନ୍ତି । କିନ୍ତୁ ମଦ ପିଇ ଗାଡି ଚଲାଉଥିଲେ କି ହେଲମେଟ ପିନ୍ଧିନଥିଲେ ଫାଇନ ଦେବାକୁ ପଡିବ । ସେହିପରି ବିନା ସିଟ ବେଲଟରେ କାର ଚଳାଉଥିବା ବ୍ୟକ୍ତି ମଧ୍ୟ ମୋଟା ଅଙ୍କର ଫାଇନ ଦେବେ ।

ସେହିପରି ଆଜି ବିଧାନସଭାରେ ଶାସକ ଦଳର ବିଧାୟକ ଦେବୀ ମିଶ୍ର ଓ କଂଗ୍ରେସ ବିଧାୟକ ତାରାବାହିନୀ ପତି ଚେକିଂ ସମୟସୀମା ବୃଦ୍ଧି କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ । ଅପରପକ୍ଷରେ ବିଧାୟକ ପ୍ରଦୀପ ମହାରଥୀ, ଶ୍ରୀ ମିଶ୍ର ଓ ତାରାବାହିନୀଙ୍କ କଥାରେ ସହମତି ଜଣାଇ ବାଚସ୍ପତିଙ୍କୁ ହାତଯୋଡି ଏହି ନିୟମକୁ କୋହଳ କରିବାକୁ ନିବେଦନ କରିଥିଲେ ।

Leave a comment