ଡାଟା କିଣି ବ୍ୟାଙ୍କ ଆକାଉଣ୍ଟ ଖାଲି କରୁଥିବା ଗ୍ୟାଙ୍ଗର ୩ ଜଣ ସଦସ୍ୟ ଭୁବନେଶ୍ୱରରୁ ଗିରଫ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କିଛିଦିନ ହେବ ଭୁବନେଶ୍ୱରରେ ଲଗାତାର ଭାବେ ଆକାଉଣ୍ଟ ହ୍ୟାକ ହୋଇ ଲକ୍ଷାଧିକ ଟଙ୍କା ଆଖି ପିଛୁଳାକେ ହେଇଯାଉଥିଲା ଗାୟବ । ଖାଲି ହେଇଯାଉଥିଲା ବ୍ୟାଙ୍କ ଖାତା । ଜାମତରା ନାମକ ଏକ ଗ୍ୟାଙ୍ଗ ଲୋକଙ୍କୁ ମିଛରେ ଆପଣଙ୍କ ନମ୍ବର କଟିଯିବ, ବ୍ଲକ୍ ହୋଇଯିବ ଏଟିଏମ୍ କାର୍ଡ । ବନ୍ଦ ହୋଇଯିବ ଆକାଉଣ୍ଟ କହି ଭୟବିତ କରିବା ସହ କିଣି ନେଉଥିଲେ ଗ୍ରାହକଙ୍କ ଡାଟା । ଏହି ଗ୍ୟାଙ୍ଗର ୩ ଜଣ ସଦସ୍ୟଙ୍କୁ ଭୁବନେଶ୍ୱରର ରସୁଲଗଡ଼ରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।

ସୂଚନା ଅନୁଯାୟୀ, ଅନେକ ସମୟରେ ଅଜଣା ନମ୍ବରରୁ କଲ ଆସୁଛି । ଏଭଳି କଲ୍ ଓ ମେସେଜ୍ ମାଧ୍ୟମରେ ରାଜ୍ୟର ବିଭିନ୍ନ ଅଂଚଳରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରୁଥିବା ଜାମତରା ଗ୍ୟାଙ୍ଗର ୩ ଜଣ ସଦସ୍ୟଙ୍କୁ ଭୁବନେଶ୍ୱରର ରସୁଲଗଡ଼ରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଏହି ୩ ଜଣ ଅଭିଯୁକ୍ତଙ୍କ ଘର ଝାଡ଼ଖଣ୍ଡରେ । ୨ ଜଣ ଗିରିଡ଼ିହର ଓ ଆଉ ଜଣେ ଧାନବାଦର । ସେମାନଙ୍କ ଠାରୁ ୧୧ଟି ମୋବାଇଲ୍, ୨ଟି ଲାପଟପ୍ ଓ ୩୩ଟି ସିମ୍ ଜବତ କରାଯାଇଛି । ଜବତ ସିମ୍ ଗୁଡ଼ିକ ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗର । ଗିରଫ ସାଇବର ଠକ କୋଲକାତାରୁ ବ୍ୟାଙ୍କ ଗ୍ରାହକଙ୍କ ଡାଟା କିଣି ୨୦ଟି ରାଜ୍ୟରେ ଅପରେଟ୍ କରୁଥିଲେ । ଗିରଫ ୩ ଜଣଙ୍କ ନାଁରେ ଏବେ ସୁଦ୍ଧା ୧୭୧ଟି ମାମଲା ରହିଛି ।
ସୂଚନାଥାଉ କି, ଝାଡ଼ଖଣ୍ଡର ଏହି ଜାମତରା ଗ୍ୟାଙ୍ଗ ପୂରା ଦେଶରେ ନିଜ ଜାଲ ବିଛାଇଛନ୍ତି । ଏପରିକି ସେମାନେ ସାଇବର ଏକ୍ସପର୍ଟଙ୍କ ସମେତ ବହୁ ଶିକ୍ଷିତ ଲୋକଙ୍କୁ ଏଥିରେ ସମ୍ପୃକ୍ତ କରି ଲୁଟ୍ରେ ବ୍ୟବହାର କରୁଥିବା ଜଣାଯାଇଛି । ଏପରିକି ଆଖି ପିଛୁଳାକେ ୟୁପିଆଇ ଫ୍ରଣ୍ଡ, କ୍ରେଡିଟ କାଡ ଫ୍ରଡ କରି ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା ।