ଓଡ଼ିଶା ଫାଷ୍ଟ(ବ୍ୟୁରୋ) : ବିଜେଡିକୁ 22 ପୂରି 23 ଚାଲିବ। ଅପରାହ୍ନ 4ଟାରେ ପ୍ରତିଷ୍ଠା ଦିବସ ଅବସରରେ ଦଳୀୟ କାର୍ଯ୍ୟାଳୟରେ ରାଜ୍ୟସ୍ତରୀୟ ସଭା ଅନୁଷ୍ଠିତ ହେବ।
113 ଟି ଆସନ ସହ ପଞ୍ଚମ ଥର ପାଇଁ ବିଜେଡ଼ିକୁ ଶାସନ ଗାଦିରେ ବସାଇଲେ ଓଡ଼ିଶାବାସୀ । ଏହା ହେଉଛି ଆଞ୍ଚଳିକ ଦଳ ବିଜେଡ଼ିର ଲମ୍ବା ବିଜୟ ଯାତ୍ରା । ଦେଶର ରାଜନୈତିକ ଇତିହାସରେ ଏକ ବ୍ୟତିକ୍ରମ ତଥା ସଫଳ ଆଞ୍ଚଳିକ ଦଳ ଭାବେ ରେକର୍ଡ ସୃଷ୍ଟି କରିଛି । ଦେଶବ୍ୟାପୀ ମୋଦି ଲହରି ଖେଳୁଥିବା ବେଳେ ଓଡ଼ିଶାବାସୀ ବିଜେଡ଼ିକୁ ଛାଡ଼ି ପାରିନାହାନ୍ତି । ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ଦୃଢ଼ ନେତୃତ୍ୱ ଆଗରେ ନରେନ୍ଦ୍ର ମୋଦି ବି ତୁଚ୍ଛ ହୋଇଛନ୍ତି ।
ସଫଳତାର ସିଢ଼ି ଚଢୁଥିବା ଏହି ବିଜେଡ଼ି ଆଜି 23 ବର୍ଷରେ ପଦାର୍ପଣ କରିଛି । ରାଜ୍ୟବ୍ୟାପୀ ପ୍ରତିଷ୍ଠା ଦିବସ ଉତ୍ସବ ପାଳୁଛି । ଦଳର ଲୋକପ୍ରିୟତାକୁ ଅତୁଟ ରଖି ସଂଗଠନକୁ ଅଧିକରୁ ଅଧିକ ଶକ୍ତିଶାଳୀ କରିବାର ସଂକଳ୍ପକୁ ଉଜାଗର ରଖି ଆଗକୁ ବଢ଼ୁଛି । ଏଥିପାଇଁ କୌଣସି ସୁଯୋଗକୁ ନେତୃତ୍ୱ ହାତଛଡ଼ା କରୁନାହାନ୍ତି ।
କେବଳ ନବୀନ ପଟ୍ଟନାୟକଙ୍କ ନାଁରେ ଦଳକୁ ଏଭଳି ଲଗାତର ସଫଳତା ସଫଳତା ମିଳୁଛି ବୋଲି ଅନେକ ବିଶ୍ୱାସ କରନ୍ତି । ଏହା କେତେକାଂଶରେ ସତ ହୋଇଥିଲେ ବି ନବୀନ ବାବୁଙ୍କ କାର୍ଯ୍ୟକ୍ରମ, ଆଭିମୁଖ୍ୟ ଓ ରଣନୀତିକୁ ଅନୁଧ୍ୟାନ କଲେ ବିଜେଡ଼ି ସଫଳତାର ଆହୁରି ଅନେକ କାରଣ ମିଳିଯାଉଛି ।
ଉଦାହରଣସ୍ୱରୂପ, ଚଳିତ ନିର୍ବାଚନ ସରୁ ସରୁ ବିଜୟର ଉଲ୍ଲାସରେ ଭାସି ଦଳୀୟ ସଂଗଠନ ଓ କାର୍ଯ୍ୟକ୍ରମରୁ ଦୂରେଇ ନାହାନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ପଞ୍ଚମ ଥର ପାଇଁ ବିଜେଡ଼ି ସପକ୍ଷ ଜନମତରେ ଅଧିକ ବିନମ୍ର ଓ ଉତ୍ତରଦାୟିତ୍ୱ ନେଇଛନ୍ତି । ସରକାରକୁ ଲୋକାଭିମୁଖୀ ଓ ଦଳକୁ ଅଧିକରୁ ଅଧିକ ଶକ୍ତିଶାଳୀ କରିବା ଲକ୍ଷ୍ୟରେ ରଣନୀତି ଜାରି ରଖିଛନ୍ତି । ଦଳ ଓ ସରକାର ଭିତରେ ସମନ୍ୱୟ ରକ୍ଷା କରାଯାଉଛି । ଲୋକଙ୍କ ସମସ୍ୟା ସହିତ ଜଡ଼ିତ ରହିବାକୁ ବିଧାୟକ ଓ ସାଂସଦମାନଙ୍କ ଉପରେ ଉତ୍ତରଦାୟିତ୍ୱ ଧାର୍ଯ୍ୟ କରିଛନ୍ତି । ଲୋକଙ୍କ ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହି ସେମାନଙ୍କ ସୁଖଦୁଃଖରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ କଡ଼ା ହୁକୁମ୍ ଜାରି କରିଛନ୍ତି ।
ପ୍ରଶାସନରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱକୁ ଏଥର ଅଧିକ ଗୁରୁତ୍ୱ ଦେଇ ସରକାରରେ ଅନେକ ପରିବର୍ତ୍ତନ ଆଣିଛନ୍ତି ମୁଖ୍ୟମନ୍ତ୍ରୀ । 5 -ଟି ଓ ‘ମୋ ସରକାର’ କାର୍ଯ୍ୟକ୍ରମ ନବୀନ ବାବୁ ଓ ତାଙ୍କର ବିଜେଡ଼ି ପାଇଁ ଆଉ ଏକ ମାଇଲ୍ ଖୁଣ୍ଟ ଭାବେ ଛିଡ଼ାହେଲାଣି । ଏହାର ସିଧାସଳଖ ପ୍ରଭାବ ଲୋକେ ଆସ୍ତେ ଆସ୍ତେ ଅନୁଭବ କଲେଣି । ଡାକ୍ତରଖାନା, ଥାନା ଉପରେ ଲୋକଙ୍କ ଭରସା ଆସୁଛି । ଦଳୀୟସ୍ତରରେ କର୍ମୀଙ୍କ ସହ ସିଧାସଳଖ ଯୋଡି ହେବାକୁ ବି ଶକ୍ତି ଲଗାଯାଇଛି । ଏହିକ୍ରମରେ ଏଥର କୋଟିଏ କର୍ମୀଙ୍କ ଡାଟା ବେସ୍ ପ୍ରସ୍ତୁତ କରି ସେମାନଙ୍କ ସହ ସିଧାସଳଖ ଯୋଡି ହେବାର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉଛି । ବିଜେଡ଼ି କର୍ମୀଙ୍କୁ ବୀମାଭୁକ୍ତ କରିବାକୁ ବି ଯୋଜନା ହୋଇଛି । ଆଜି ପ୍ରତିଷ୍ଠା ଦିବସରେ ହୁଏତ ଏହି ଘୋଷଣା କରିପାରନ୍ତି ସୁପ୍ରିମୋ । ବିଜେଡ଼ିର ଏହି ସବୁ ରଣନୀତି ପରୋକ୍ଷରେ ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଥିବାରୁ ବିଜେଡ଼ିର ପତିଆରା ଆଗକୁ ଆହୁରି ବଢ଼ିବ ବୋଲି ରାଜନୈତିକ ମହଲ ଆକଳନ କରୁଛନ୍ତି ।