କରୋନା ପାଇଁ ୨୨୫ କୋଟି ମଞ୍ଜୁର କଲେ ରାଜ୍ୟ ସରକାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଶ୍ୱ ମହାମାରୀ ‘କରୋନା’ ଭାଇରସର ମୁକାବିଲା ନିମନ୍ତେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ୨୨୫କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟିର ସ୍ୱତନ୍ତ୍ର ବୈଠକରେ ଏହି ଅର୍ଥକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣକୁ ପ୍ରଦାନ ନିମନ୍ତେ ନିଷ୍ପତ୍ତି ହୋଇଛି।

ଏହି ପାଣ୍ଠିକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ‘କରୋନା’ ଭାଇରସର ସନ୍ଦିଗ୍ଧ ଆକ୍ରାନ୍ତଙ୍କୁ ୧୪ ଦିନ ହୋମ କ୍ୱାରାଣ୍ଟାଇନରେ ରଖିବା, ନମୂନା ସଂଗ୍ରହ, ସ୍କ୍ରିନିଂ ସମେତ ଯେଉଁ ସନ୍ଦିଗ୍ଧ ବ୍ୟକ୍ତିମାନେ କ୍ୱରାଣ୍ଟାଇନ କ୍ୟାମ୍ପରେ ରହିବେ ସେମାନଙ୍କୁ ଅସ୍ଥାୟୀ ଆବାସିକ ସୁବିଧା, ଖାଦ୍ୟ, ସ୍ୱାସ୍ଥ୍ୟସେବା ଆଦି ନିମନ୍ତେ ଏହି ଅର୍ଥ ଖର୍ଚ୍ଚ କରାଯିବ। ଏସବୁ ସହିତ ଅତିରିକ୍ତ ଟେଷ୍ଟିଂ ଲ୍ୟାବ ସ୍ଥାପନ, ଅତ୍ୟାବଶ୍ୟକ ଉପକରଣ କ୍ରୟ, ଅଞ୍ଚଳକୁ ପ୍ରଦୂଷଣମୁକ୍ତ କରିବା ନିମନ୍ତେ ଏହି ଅର୍ଥ ଖର୍ଚ୍ଚ ହେବ।
ସୂଚନା ଅନୁସାରେ, ରାଜ୍ୟ ସରକାର ଗାଁ ଗହଳିରେ କରୋନା ଭାଇରସ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ନିମନ୍ତେ ଆସନ୍ତା ଗୁରୁବାରଠୁ ପଞ୍ଚାୟତସ୍ତରରେ ସଭା ଆୟୋଜନ କରି ଲୋକଙ୍କୁ ମାସ୍କ, ସାନିଟାଇଜର ଓ ଅନ୍ୟାନ୍ୟ ଆବଶ୍ୟକ ପ୍ରତିଷେଧକମୂଳକ ସାମଗ୍ରୀ ଯୋଗାଇ ଦେବେ।

ଉଲ୍ଲେଖଯୋଗ୍ୟ, କରୋନା ଭାଇରସକୁ ରାଜ୍ୟ କ୍ୟାବିନେଟ ଗତ ୧୫ତାରିଖରେ ‘ରାଜ୍ୟ ବିପର୍ଯ୍ୟୟ’ ଭାବେ ଘୋଷଣା କରିବା ସହ ୨୦୦କୋଟି ଟଙ୍କା ପାଣ୍ଠି ବ୍ୟୟବରାଦ କରିଥିଲେ। ତେବେ କେନ୍ଦ୍ର ସରକାର ‘କରୋନା ଭାଇରସ’କୁ ବିପର୍ଯ୍ୟୟ ଘୋଷଣା କରିବା ସହ ବିପର୍ଯ୍ୟୟ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରିବାକୁ ଅନୁମତି ଦେଇଥିଲେ।

Leave a comment