୨୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଅଞ୍ଚଳରୁ ପ୍ରାୟ ୨୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି । ଏଥିରେ ସମ୍ପୃକ୍ତ ଜଣେ ବ୍ୟକ୍ତି ମଧ୍ୟ ଗିରଫ ହୋଇଛନ୍ତି ।
ଘଟଣା ମୁତାବକ, କଟକ ଅବକାରୀ ବିଭାଗର ସ୍କାର୍ଡର ଏକ ଟିମ ଜଳେଶ୍ବର ଅଞ୍ଚଳରେ ଚଢ଼ାଉ କରିଥିଲା । ଚଢାଉ ବେଳେ ୨୦୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପାଖାପାଖି ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ତେବେ ବ୍ରାଉନସୁଗାର ବିକ୍ରିରେ ସମ୍ପୃକ୍ତ ଥିବା ଶେଖ୍ ସମତୁଲ୍ଲା(୫୨) ନାମକ ଜଣେ ବ୍ୟକ୍ତିଙ୍କୁ ଏହି ଟିମ ଗିରଫ କରିଛି । ପଶ୍ଚିମବଙ୍ଗରୁ ବ୍ରାଉନସୁଗାର ଆଣି ବାଲେଶ୍ୱର ଓ ଜଳେଶ୍ବର ଅଞ୍ଚଳରେ ବିକ୍ରି କରାଯାଉଥିବା ନେଇ ଅବକାରୀ ବିଭାଗ ନିକଟରେ ଖବର ପହଞ୍ଚିବା ପରେ ଏକ ସ୍ପେଶାଲ ସ୍କ୍ୱାର୍ଡ ସେଠାରେ ପହଞ୍ଚି ତନାଘନା କରିଥିବା ଜଣାପଡ଼ିଛି ।
ବ୍ରାଉନସୁଗାର ମାଫିଆମାନେ ଏହାକୁ ପଶ୍ଚିମବଙ୍ଗରୁ ସଂଗ୍ରହ କରି ବାଲେଶ୍ୱର ଜିଲ୍ଲାକୁ ଆଣିଥାନ୍ତି । ସେଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଏହି ବ୍ରାଉନସୁଗର ପଠାଯାଇଥାଏ ବୋଲି ଜଣେ ଅବକାରୀ ଅଧିକାରୀ ସୁଚନା ଦେଇଛନ୍ତି । ତେବେ ଏହି ସ୍କ୍ୱାର୍ଡ ଶେଖ୍ ସମତୁଲ୍ଲାଙ୍କୁ ଆଣି ବାଲେଶ୍ଵରରେ ପହଞ୍ଚି ଥିବା ବେଳେ ଅଧିକ ତଦନ୍ତ ପାଇଁ ତାଙ୍କୁ ପଚରାଉଚରା ଜାରି ରଖିଛି ।