ଆସନ୍ତା ୩ତାରିଖରେ ପ୍ରକାଶ ପାଇବ + ୨ବିଜ୍ଞାନ ପରୀକ୍ଷା ଫଳ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୩ତାରିଖ ଦିନ ୧୨ଟା ରେ ପ୍ରକାଶ ପାଇବ + ୨ବିଜ୍ଞାନ ପରୀକ୍ଷା ଫଳ । ଏହା ଭୁବନେଶ୍ୱରର ଗୀତ ଗୋବିନ୍ଦ ଭବନରେ ପ୍ରକାଶ ପାଇବ । ଯୁକ୍ତ ୨ବିଜ୍ଞାନ ପରୀକ୍ଷା ଫଳ www.orissaresults.nic.in ଓ www.chseodisha.nic.in ୱେବସାଇଟରେ ଦିନ ୧୨ଟା ଠାରୁ ଉପଲବ୍ଧ ହେବ । ଛାତ୍ରଛାତ୍ରୀମାନେ ନିଜର ରୋଲ ନମ୍ବର ଓ ରେଜିଷ୍ଟ୍ରେସନ ନମ୍ବର ଦେଇ ନିଜର ପରୀକ୍ଷା ଫଳ ପାଇପାରିବେ ବୋଲି ଉଚ୍ଚ ମାଧ୍ୟମିକ ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସୂଚନା ଅନୁଯାୟୀ, ୯୯ହଜାର ୧୮ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥିବା ବେଳେ ଦୁଇଟି ପର୍ଯ୍ୟାୟରେ ଯୁକ୍ତ ଦୁଇ ଖାତା ଦେଖାଯିବା ନେଇ ସ୍ଥିର କରାଯାଇଥିଲା । ଅପ୍ରେଲ ୮ରୁ ୨୨ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଓ ଅପ୍ରେଲ ୨୩ରୁ ମେ ୬ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଖାତାଦେଖା ପାଇଁ ସ୍ଥିର କରାଯାଇଥିଲେ ମଧ୍ୟ ବାତ୍ୟା ଫୋନୀ ପ୍ରଭାବ ଯୋଗୁଁ ଖାତା ଦେଖାରେ ବହୁ ବିଳମ୍ବ ହୋଇଥିଲା । ରାଜ୍ୟରେ ମୋଟ ୫୮ଟି ମାନୁଆଲ ଓ ୩୬ଟି ଇ ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ଅନୁଷ୍ଠିତ ହୋଇଥିଲା ।
ସେହିପରି ଜୁନ ଦ୍ୱିତୀୟ ସପ୍ତାହରେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।