ଉନ୍ନାଓରେ ସଡ଼କ ଦୁର୍ଘଟଣା, ୧୮ ଯାତ୍ରୀ ମୃତ
ବୁଧବାର ସକାଳେ ଉତ୍ତରପ୍ରଦେଶର ଉନ୍ନାଓରେ ଏକ ଛାତିଥରା ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ସମୁଦାୟ ୧୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଡବଲ ଡେକର ବସ୍ ପଛରୁ ଦୁଗ୍ଧ କଣ୍ଟେନରକୁ ଧକ୍କା ଦେବା ଯୋଗୁ ଏହି ଦୁର୍ଘଟଣା ଘଟିଛି। ଲକ୍ଷ୍ନୌ- ଆଗ୍ରା ଏକ୍ସପ୍ରେସୱେରେ ଏକ ଦ୍ରୁତ ଗତିରେ ଆସୁଥିବା ଏକ ବସ୍ ଦୁଗ୍ଧ କଣ୍ଟେନରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୩୦ ରୁ ଅଧିକ ଲୋକ ଆହତ ହୋଇଥିଲେ।
ବୁଧବାର ସକାଳେ ବିହାରର ସୀତାମାରିରୁ ଦିଲ୍ଲୀ ଯାଉଥିବା ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ଘଟଣା ପରେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କ କହିବାନୁସାରେ, ଡବଲ ଡେକର ବସ୍ ନିୟନ୍ତ୍ରଣ ହରାଇ ଦୁଗ୍ଧ କଣ୍ଟେନର ସହିତ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ପରେ ପୋଲିସକୁ ସୂଚନା ଦିଆଯାଇଥିଲା। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲା ଏବଂ ଏହା ପରେ ଉନ୍ନାଓର ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ସିଓ ବଙ୍ଗରମାଉ ଅରବିନ୍ଦ ଚୌରାସିଆଙ୍କ ନେତୃତ୍ୱରେ ପୋଲିସ ସେଠାରେ ଉଦ୍ଧାର କାର୍ଯ୍ୟ କରୁଛି।