ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ୱର ରେ ୧୦୦ଟି ୱାଇଫାଇ ସ୍ପଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ।

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍ମାର୍ଟ ସିଟିର ସ୍ମାର୍ଟନେସ ବଢାଇବାକୁ ଭୁବନେଶ୍ୱରକୁ ୱାଇଫାଇର ସହରରେ ପରିଣତ କରିଛନ୍ତି ରାଜ୍ୟସରକାର । ପ୍ରାରମ୍ଭିକ ପର୍ଯ୍ୟାୟରେ ସଚିବାଳୟରେ ୧୦୦ଟି ୱାଇଫାଇ ସ୍ପଟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏଥିରେ କିଟ୍ ଛକରୁ ରାଜଭବନ, ଆଚାର୍ଯ୍ୟବିହାରରୁ ଏଜି ଛକ, ଶିଶୁଭବନରୁ ବାଣୀବିହାର, ନାଲକୋ ଛକରୁ ଆଚାର୍ଯ୍ୟବିହାର ପର୍ଯ୍ୟନ୍ତ ୱାଇଫାଇ ସେବା ଉପଲବ୍ଧ ହେବ । ଏବେ ଦିନକୁ ମାଗଣାରେ ୨୫୦ ଏମ୍ବି ଇଣ୍ଟରନେଟ୍ ଉପଲବ୍ଧ ହେବ । ଅଧିକ ଇଣ୍ଟରନେଟ୍ ବ୍ୟବହାର କରିବାକୁ ଚାହୁଁଥିଲେ ଟପ୍ ଅପ୍ ରିଚାର୍ଜ କରିବାକୁ ପଡ଼ିବ । ଏହା ଯୁବପିଢ଼ିଙ୍କ ଶିକ୍ଷା କ୍ଷେତ୍ରରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ
କହିଛନ୍ତି । ଏହି ସେବା ବିଏମସି ଅଞ୍ଚଳରେ ଲୋକଙ୍କୁ ମାଗଣାରେ ମିଳିବ । ଏଥିପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ‘ଭୁବନେଶ୍ବର ମି ୱାଇଫାଇ’ ପ୍ରକଳ୍ପ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି ।
ସୂଚନା ଅନୁଯାୟୀ, ରାଜଧାନୀ ଭୁବନେଶ୍ୱର କୁ ସମ୍ପୂର୍ଣ୍ଣ ରୂପେ ୱାଇଫାଇ ସହର କରିବା ପାଇଁ ୫୦୦ଟି ୱାଇଫାଇ ସ୍ପଟ୍ ନିର୍ମାଣ କରାଯିବା କାର୍ଯ୍ୟକ୍ରମ ରହିଛି । ଆଜି ପ୍ରଥମ ପର୍ଯ୍ୟାୟରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ୧୦୦ଟି ୱାଇଫାଇ ସ୍ପଟ ର ଉଦଘାଟନ କରିଛନ୍ତି ।
ଏହି ୱାଇଫାଇ ଅଞ୍ଚଳରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ପ୍ରଥମ ଅଧଘଣ୍ଟା ମାଗଣା ଇଣ୍ଟରନେଟ୍ ସୁବିଧା ମିଳିବା ସହ ଏହି ସମୟରେ ସେ ୨ଏମ୍ବିପିଏସ୍ ସ୍ପିଡରେ ୫୦ ଏମ୍ବି ଇଣ୍ଟରନେଟ୍ ଡାଟା ବ୍ୟବହାର କରିପାରିବେ । ଗୋଟିଏ ୱାଇଫାଇ ହଟସ୍ପୋଟ ଅଧୀନରେ ସର୍ବାଧିକ ୧୫୦ ଜଣ ଇଣ୍ଟରନେଟ୍ ବ୍ୟବହାର କରିପାରିବେ । ଏହାସହ ଆସନ୍ତା ଦିନ ମାନଙ୍କରେ କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ଏବଂ ପୁରୀ ଭଳି ସହରମାନଙ୍କରେ ମାଗଣା ଇଣ୍ଟରନେଟ୍ ସୁବିଧା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।