‘ୱାନ ନେସନ, ୱାନ ଇଲେକ୍ସନ’ ପ୍ରସ୍ତାବକୁ କ୍ୟାବିନେଟ୍ କଲା ଅନୁମୋଦନ, ଖୁବ ଶୀଘ୍ର ସଂସଦରେ ଉପସ୍ଥାପିତ ହେବ ବିଲ୍

0

ଗୁରୁବାର ଦିନ ‘ୱାନ ନେସନ, ୱାନ ଇଲେକ୍ସନ’ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି। ସୂଚନାନୁସାରେ ଚଳିତ ଶୀତ ଅଧିବେଶନରେ ଏହି ବିଲ୍ ସଂସଦରେ ଉପସ୍ଥାପିତ ହୋଇପାରେ। ଏହି ବିଲ୍ ସମ୍ବନ୍ଧରେ ସମସ୍ତ ରାଜନୈତିକ ଦଳର ମତାମତ ନିଆଯିବ। ପରେ ଏହା ସଂସଦ ଦ୍ୱାରା ପାରିତ ହେବ। ଏହାପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟି ୱାନ ନେସନ, ୱାନ ଇଲେକ୍ସନ ସମ୍ପର୍କିତ ଏକ ରିପୋର୍ଟ ସରକାରଙ୍କ ପାଖରେ ଦାଖଲ କରିଥିଲା। ଖବର ଅନୁଯାୟୀ ଆଇନ ମନ୍ତ୍ରୀ ‘ୱାନ ନେସନ, ୱାନ ଇଲେକ୍ସନ’ ପ୍ରସ୍ତାବ ଦେଇଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ପ୍ରସ୍ତାବ ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି।

ୱାନ ନେସନ, ୱାନ ଇଲେକ୍ସନ’ ଅଧୀନରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ଅନୁଷ୍ଠିତ ହେବ। ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟିର ରିପୋର୍ଟରେ କୁହାଯାଇଛି ଯେ ପ୍ରଥମ ପର୍ଯ୍ୟାୟରେ ଲୋକସଭା ଓ ରାଜ୍ୟସଭା ନିର୍ବାଚନ ଏକାସାଙ୍ଗରେ କରାଯିବା ଉଚିତ୍। ଲୋକସଭା ଏବଂ ରାଜ୍ୟସଭା ନିର୍ବାଚନର ଏକକାଳୀନ ଆୟୋଜନ ହେବାର ୧୦୦ ଦିନ ମଧ୍ୟରେ ସ୍ଥାନୀୟ ସଂସ୍ଥା ନିର୍ବାଚନ କରାଯିବାକୁ କମିଟି ସୁପାରିଶ କରିଛି।

କହିରଖୁଛୁ ଯେ ଆରମ୍ଭରୁ କେନ୍ଦ୍ର ସରକାର ‘ୱାନ ନେସନ, ୱାନ ଇଲେକ୍ସନ’କୁ ସମର୍ଥନ କରିଆସୁଛନ୍ତି। ତଥାପି ବିଦ୍ୟମାନ ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ। ଏଥିପାଇଁ ସହମତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦେଶରେ ‘ୱାନ ନେସନ, ୱାନ ଇଲେକ୍ସନ’କୁ କାର୍ଯ୍ୟକାରୀ କରିବା ପାଇଁ ସମ୍ବିଧାନରେ ସଂଶୋଧନ ପାଇଁ ପ୍ରାୟ ୬ଟି ବିଲ୍ ଆଣିବାକୁ ପଡିବ। ସଂସଦରେ ଏସବୁ ପାସ୍ କରିବାକୁ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଆବଶ୍ୟକ ହେବ।

Leave a comment