୪ବର୍ଷର ଶିଶୁକୁ ଅପହରଣ କଲା ସମ୍ପର୍କୀୟ ମାମୁଁ, ସଲିଆସାହିରୁ ଉଦ୍ଧାର

0

ଭୁବନେଶ୍ୱର,  : ରାଜଧାନୀର ଶହୀଦନଗର ଅଞ୍ଚଳରୁ ଜଣେ ୪ବର୍ଷର ଶିଶୁକୁ ତାର ସମ୍ପର୍କୀୟ ମାମୁଁ ଅପହରଣ କରିଥିଲା । ଥାନାରେ ଅଭିଯୋଗ ହେବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅପହୃତ ଶିଶୁକୁ ଉଦ୍ଧାର କରିଛି । ଏଥିସହିତ ସମ୍ପର୍କୀୟ ମାମୁଁକୁ ଗିରଫ କରି ପଚରାଉଚରା କରୁଛି ।

ସୂଚନା ଅନୁସାରେ, ଶହୀଦନଗର ଥାନା ୟୁନିଟ୍ -୯ଭୋଇନଗରରେ କନ୍ଧମାଳ ଜିଲ୍ଲା ଜି – ଉଦୟଗିରି ଥାନା ନନ୍ଦଗିରି ଗାଁର ରାକେଶ ମଲ୍ଲିକ, ପତ୍ନୀ ଗରିତା ସିଂହ ଓ ତାଙ୍କ ୪ ବର୍ଷର ପୁଅ ସହ ରୁହନ୍ତି । ଆଜି ସକାଳେ ଗରିତା ସିଂହଙ୍କ ସଂପର୍କୀୟ ଭାଇ ସୋନୁ ନାୟକ ତାଙ୍କ ଘରକୁ ଆସିଥିଲେ । ଏହି ସମୟରେ ସେ କୌଣସି କାରଣକୁ ନେଇ ଗରିତାଙ୍କୁ ସାଙ୍ଗରେ ଯିବାକୁ କହିଥିଲେ । ସେ ରାଜି ନହେବାରୁ ସୋନୁ ମୁଣ୍ଡରେ ସୈତାନ ସବାର ହୋଇଥିଲା । ପରେ ସେ ତାଙ୍କ ପୁଅକୁ ଅପହରଣ କରିନେଇଥିଲା ।

ପୁଅକୁ ଖୋଜାଖୋଜି କରି ନିରାଶ ହେବା ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଶିଶୁ ଅପହରଣ ଓ ନିଖୋଜ ଘଟଣାକୁ ଜିରୋଟଲେରାନ୍ସ ନିର୍ଦ୍ଦେଶ ଥିବାରୁ ପୋଲିସ ଘଟଣାକୁ ଗମ୍ଭୀରତାର ସହ ନେଇ ତ୍ୱରିତ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ପୋଲିସ ସାଳିଆସାହିରୁ ଶିଶୁଟିକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ହେପାଜ୍‌ତକୁ ନେଇଥିଲା । ତେବେ ଏହି ଅପହରଣ ପଛରେ ଭିନ୍ନ କାରଣ ଥିବା ପୋଲିସ ସନ୍ଦେହ କରୁଛି ।

ଉଲ୍ଲେଖଥାଉ କି, ଗରିତାଙ୍କ ଭଉଣୀ ବାଙ୍ଗାଲୁରରେ ରୁହନ୍ତି । ପୂର୍ବରୁ ସେଠାରେ ଅଭିଯୁକ୍ତ ସୋନୁ ମଧ୍ୟ ରହୁଥିଲା । ଇତି ମଧ୍ୟରେ ଗରିତାଙ୍କ ଭଉଣୀ ଓ ସୋନୁ ମଧ୍ୟରେ ପରିଚୟ ସୃଷ୍ଟି ହୋଇଥିଲା । ପରେ ସୋନୁ ତାଙ୍କ ଘରକୁ ଯିବା ଆସିବା ସମୟରେ ଗରିତାଙ୍କ ସହ ପରିଚୟ ହୋଇଥିଲା । ପରବର୍ତ୍ତୀ ସମୟରେ ସୋନୁ ସମ୍ପର୍କୀୟ ଭାଇ ଭାବେ ଗରିତାଙ୍କ ଘରକୁ ଯିବା ଆସିବା କରୁଥିଲା । ତେବେ ସମ୍ପର୍କ ଭିତରେ ସେ ଭଣଜାକୁ କାହିଁକି ଅପହରଣ କଲା, ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

Leave a comment