୨ ଓଏଏସ୍‍ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ: ଜଣଙ୍କୁ କାରଣ ଦର୍ଶାଅ ଆଉ ଜଣେ ନିଲମ୍ବିତ

0

ଭୁବନେଶ୍ୱର: ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କୁ ସାବାଡ଼ କରିବା ପାଇଁ ସରକାର କଠୋର ହୋଇଛନ୍ତି। ଗୋଟିଏ ପଟେ ଓଏଏସ୍‍ ସଂଘ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍‍ ଅତିରିକ୍ତ କମିଶନରଙ୍କ ଉପରେ ଆକ୍ରମଣକୁ ନେଇ ସରକାରଙ୍କୁ ଘେରିଥିବା ବେଳେ ରାଜ୍ୟ ସରକାରଙ୍କ ଏପରି କାର୍ଯ୍ୟାନୁଷ୍ଠାନ ଚର୍ଚ୍ଚକୁ ଆସିଛି।

ଯେଉଁ ଦୁଇ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ସେମାନେ ହେଲେ ଗଞ୍ଜାମର ସହକାରୀ ଜିଲ୍ଲାପାଳ ବିଞ୍ଜେସ ରଞ୍ଜନ ନାୟକ ଏବଂ ଘସିପୁରା ଉପଜିଲ୍ଲାପାଳ ଅଭୟ କୁମାର ସ୍ୱାଇଁ। ବିଞ୍ଜେସ୍‍ଙ୍କୁ ତାଙ୍କ ପୂର୍ବ କାର୍ଯ୍ୟକ୍ରମ ଲାଗି ନିଲମ୍ବନ କରାଯାଇଥିବା ବେଳେ ଅଭୟଙ୍କୁ ବର୍ତ୍ତମାନ ଅଫିସରେ ଆଚରଣ ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

ବିଞ୍ଜାସ୍‍ ଜଟଣୀରେ ସବ୍‍ରେଜିଷ୍ଟ୍ରାର ଥିବା ବେଳେ ଯେଉଁଭଳି କାର୍ଯ୍ୟ କରୁଥିଲେ ତାହାକୁ ଗୁରୁତର ସହ ବିଚାର କରାଯାଇଛି। ଏହି ଅନୁସାରେ ତାଙ୍କୁ ନିଲମ୍ବନ କରାଯାଇଛି। ତାଙ୍କ ନାଁରେ ଅଭିଯୋଗ ହେଉଛି ସେ ତାଙ୍କ ପଦବୀର ଦୂରୂପୋଯୋଗ କରୁଥିଲେ। ମନ ଇଛା ନିଜ ଅଫିସ ବାହାରେ ଯାଇ ଜମି ପଞ୍ଜିକରଣ କରୁଥିଲେ। ମାର୍ଚ୍ଚ ୨୦୨୩ରୁ ମେ ୨୦୨୫ ଯାଏଁ ସେ ଜଟଣୀର ସବରେଜିଷ୍ଟ୍ରାର ଥିଲେ। ଏହି ସମୟରେ ୩୨୨ଥର ସେ ବାହାରକୁ ଯାଇ ଜମି ପଞ୍ଜିକରଣ କରିଥିବା ଅଭିଯୋଗ ହୋଇଛି।

ସେହିପରି ଅଭୟ ତାଙ୍କ ଅଫିସରେ ଆଗନ୍ତୁକଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ସେ ତାଙ୍କ ଅଫିସକୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ବାହାରେ ଚପଲ ରଖି ଆସିବାକୁ ବାଧ୍ୟ କରୁଥିଲେ। ଏପରିକି ଅଭିଯୋଗ ନେଇ ଆସୁଥିବା ବ୍ୟକ୍ତିଙ୍କୁ କୁର୍ସି ଦେବାକୁ ରାଜି ହେଉ ନଥିଲେ। ଏପରି ବ୍ୟବହାର ସରକାରୀ କାର୍ଯ୍ୟାଳୟରେ ଗ୍ରହଣୀୟ ନୁହେଁ ବୋଲି ସରକାର ବିବେଚନା କରିଛନ୍ତି। ଏଣୁ ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ତାଙ୍କ ବିରୋଧରେ କାରଣ ଦର୍ଶଅ ନୋଟିସ ଜାରି କରିଛନ୍ତି।

Leave a comment