ସୁଭଦ୍ରା ଏବଂ SHG ସମ୍ପର୍କରେ ବଡ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା
ଭୁବନେଶ୍ୱର : ଆଜି ବିଧାନସଭା ପ୍ରଶ୍ନକାଳ ସମୟରେ ଗୃହରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ବିଧାୟକ ଅମର କୁମାର ନାୟକଙ୍କ ପ୍ରଶ୍ନର ଉତ୍ତର ରଖି ପ୍ରଭାତି କହିଛନ୍ତି ଯେ, ୫ ବର୍ଷରେ ନିମ୍ନମାନର ଛତୁଆ ଦେଇ ୧୫ ଜିଲ୍ଲାର ୩୮ ଏସଏଚଜି କଳା ତାଲିକାଭୁକ୍ତ ହୋଇଛନ୍ତି । ୩ଟି ଝଐଏକୁ କାରଣ ଦର୍ଶାଅ ନୋଟିସ୍ ମଗା ଯାଇଛି । ନିମ୍ନମାନର ଛତୁଆ ଦେଇ ଏସଏଚଜି କୋମଳ ମତି ଛୁଆ ସହ ଖେଳୁଛନ୍ତି ।
ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି କହିଛନ୍ତି ଯେ, ଅଙ୍ଗନବାଡି କେନ୍ଦ୍ରରେ ଦିଆଯାଉଥିବା ଖାଦ୍ୟର ଗୁଣାତ୍ମକମାନ ବଜାୟ ରଖିବା ପାଇଁ ପ୍ରତି ମାସର ୨୩ ତାରିଖକୁ ଛତୁଆ ମିଶ୍ରଣ ଦିବସ ଓ ୧ ତାରିଖକୁ ଛତୁଆ ବିତରଣ ଦିବସ ରୂପେ ସ୍ଥିର କରାଯାଇଛି । ଛତୁଆର ମାନ ସୁନିଶ୍ଚିତ କରିବା ପାଇଁ ପ୍ରସ୍ତୁତି ବେଳେ ସୁପରଭାଇଜର ବ୍ୟତୀତ ଜିଲ୍ଲା ଓ ବ୍ଲକ ସ୍ତରର ବିଭିନ୍ନ ଅଧିକାରୀମାନେ ଛତୁଆ ପ୍ରସ୍ତୁତି କେନ୍ଦ୍ରରେ ଉପସ୍ଥିତ ରହି ଛତୁଆ ସାମଗ୍ରୀ ମିଶ୍ରଣର ନିରୀକ୍ଷଣ କରିବାର ବ୍ୟବସ୍ଥା ଅଛି । ଏତଦ ବ୍ୟତୀତ ଖାଦ୍ୟର ମାନ ବଜାୟ ରଖିବା ପାଇଁ ଗ୍ରାମସ୍ତରରେ ଯାଞ୍ଚ କମିଟି ଓ ମାତୃ କମିଟି ମଧ୍ୟ ତଦାରଖ କରିବାର ବ୍ୟବସ୍ଥା ରହିଛି । ଛତୁଆର ମାନ ଓ ଗୁଣବତ୍ତା ପରୀକ୍ଷା କରିବା ପାଇଁ ପ୍ରତି ମାସରେ ପ୍ରୋଜେକ୍ଟ ସ୍ତରରୁ ଛତୁଆ ନମୂନାକୁ ରାଜ୍ୟ ଖାଦ୍ୟ ପରୀକ୍ଷଣ ସଂସ୍ଥାନ, ଭୁବନେଶ୍ୱରକୁ ପଠାଯାଉଅଛି ।
ଅନ୍ୟପଟେ, ସୁଭଦ୍ରାରେ ସାମିଲ ପାଇଁ ବିଚାରାଧୀନ ରହିଛି ୬ ଲକ୍ଷ ୨୩ ହଜାର ୫୫୫ ହିତାଧିକାରୀଙ୍କ ଆବେଦନ । ୧ କୋଟି ୩୭ ଲକ୍ଷ ୫୯୪୧ ଜଣ ପ୍ରଥମ କିସ୍ତି ପାଇଥିବା ସମୟରେ ୧ କୋଟି ୧୯ ଲକ୍ଷ ୨୭୨୪ ଜଣ ଦ୍ୱତୀୟ କିସ୍ତି ପାଇଛନ୍ତି । ୯୭ ଲକ୍ଷ ୬୫ ହଜାର ୩୩୯ ଜଣ ତୃତୀୟ କିସ୍ତି ପାଇଛନ୍ତି । ବିଧାନସଭାରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏନେଇ ସୂଚନା ଦେଇଛନ୍ତି ।