ସମ୍ବଲପୁର ଓ ବ୍ରହ୍ମପୁରରେ ମୋ ବସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ସମ୍ବଲପୁର ଓ ବ୍ରହ୍ମପୁରରେ ଗଡ଼ିଲା ମୋ ବସ୍ । ଆଜି ଭିଡିଓ କନଫରେନ୍ସିଂରେ ମୋ ବସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ କ୍ରୁଟର ଏମଡି ଅରୁଣ ବୋଥ୍ରା, ସମ୍ବଲପୁର ଜ଼ିଲ୍ଲାପାଳ ଓ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ମୋ ବସକୁ ପତାକା ଦେଖାଇ ଉଦଘାଟନ କରିଥିଲେ । ସମ୍ବଲପୁରର ୪ଟି ରୁଟରେ ୮୩ଟି ଷ୍ଟପେଜ୍ କରାଯାଇଛି ।
ପ୍ରଥମ ପର୍ଯ୍ୟାୟରେ ୧୫ଟି ବସ୍ ଆରମ୍ଭ ହୋଇଛି । ତା ମଧ୍ୟରୁ ୪ଟି SC ବସ ରହିଛି। ଏହି ବସ୍ କେବଳ ସମ୍ବଲପୁର ସହରରେ ଚାଲିବ । ମୋ ବସ୍ ଚଳାଚଳ କରିବା ଦ୍ୱାରା ବିଶେଷ ଭାବରେ ମହିଳା ଓ ଛାତ୍ରଛାତ୍ରୀମାନେ ବେଶ୍ ଲାଭବାନ ହେବେ ।
ସେହିପରି ବ୍ରହ୍ମପୁର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ସାଂସଦ ଚନ୍ଦ୍ର ଶେଖର ସାହୁ, ମେୟର ସଂଘମିତ୍ରା ଦଳେଇ, ପୂର୍ବତନ ବିଧାୟକ ଡ. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଡେପୁଟି ମେୟର, ଜିଲ୍ଲାପାଳ ଗଞ୍ଜାମ, ପ୍ରମୁଖ ଉପସ୍ଥିତ ଥିଲେ। କ୍ରୁଟ ଅନ୍ତର୍ଗତ ମୋ ବସ୍ ସେବା ସବୁ ବର୍ଗର ଲୋକଙ୍କ ପାଇଁ ବେଶ୍ ସହାୟକ ହେଉଥିବାରୁ ବ୍ରହ୍ମପୁରବାସୀ ଖୁସି ବ୍ୟକ୍ତ କରିଛନ୍ତି।