ରାଜ୍ୟରେ ଚାଲିବ ହାଇଡ୍ରୋଜେନ୍‍ ବସ୍‍, ଗାଡ଼କଣରେ ହେବ ପ୍ଲାଣ୍ଟ

0

ଭୁବନେଶ୍ୱର : ରାଜ୍ୟରେ ହାଇଡ୍ରୋଜେନ୍‍ ବସ୍‍ ଚାଲିବ। ପ୍ରଥମେ ସହରାଞ୍ଚଳର ଯାତାୟାତରେ ହାଇଡ୍ରୋଜେନ୍‍ ଚାଳିତ ବସ୍‍ ଚଳାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାପରେ ସମସ୍ତ ଡିଜେଲ୍‍ ଚାଳିତ ବସ୍‍କୁ ଧୀରେ ଧୀରେ ଅପସାରିତ କରାଯାଇ ପରିବେଶ ଅନୁକୂଳ ହାଇଡ୍ରୋଜେନ୍‍ ବସ୍‍ ଚଳାଚଳ କରାଯିବ। ଆସନ୍ତା ୫ ବର୍ଷ ଭିତରେ ଏହି କାର୍ଯ୍ୟ ସମ୍ପାଦିତ ହେବ। ଏନେଇ ସରକାର ଏନ୍‍ଟିପିସି, ଗ୍ରୀଡ୍‍କୋ ଏବଂ କ୍ରୁଟ୍‍ ସହ ଏକ ବୁଝାମଣା ସ୍‍ୱାକ୍ଷର କରିଛନ୍ତି।

ଏହି ବୁଝାମଣା ଅନୁସାରେ ଏନ୍‌ଟିପିସି ଦ୍ୱାରା ପ୍ରଥମ ପର୍ଯ୍ୟାୟରେ ତିନୋଟି ହାଇଡ୍ରୋଜେନ୍ ଚାଳିତ ବସ୍ ନିୟୋଜିତ ହେବ । ଏସବୁ ବସ୍‍ ଏକ କିଲୋଗ୍ରାମ ହାଇଡ୍ରୋଜେନ୍ ପ୍ରତି ବସ୍‌ରେ ୧୨ କିଲୋମିଟର ମାଇଲେଜ୍ ପ୍ରଦାନ କରିବ । ପ୍ରତିଟି ବସ୍‌ରେ ଯାତ୍ରୀମାନଙ୍କ ପାଇଁ ୪୨ ଟି ସିଟ୍ ଏବଂ ୫୮ କେଜି ଇନ୍ଧନରେ ୬୦୦ କିମି ପର୍ଯ୍ୟନ୍ତ ବସ୍ ଚଳାଚଳ କରବାର କ୍ଷମତା ରଖିଛି ।

କ୍ରୁଟ୍‍କୁ ହାଇଡ୍ରୋଜେନ୍‍ ଯୋଗାଇବା ଲାଗି ଗାଡ଼କଣ ଡିପୋଠାରେ ଏନ୍‍ଟିପିସି ଏକ ହାଇଡ୍ରୋଜେନ୍ ଉତ୍ପାଦନ ପ୍ଲାଣ୍ଟ୍ ପ୍ରତିଷ୍ଠା କରିବ । କ୍ରୁଟ୍ ଡ଼ିପୋରେ ପୁର୍ବରୁ ଥିବା ଇଟିପି ଏବଂ ଏସ୍‌ଟିପି ପ୍ଲାଣ୍ଟ୍‌କୁ ବ୍ୟବହାର କରି ଏନ୍‌ଟିପିସି ହାଇଡ଼୍ରୋଜେନ୍ ଗ୍ୟାସ୍ ସୃଷ୍ଟି କରିବ। ଶକ୍ତି ବିଭାଗ ପକ୍ଷରୁ ଏନ୍‌ଟିପିସିକୁ ୨ଏକର ଜାଗା ଦେବାକୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗକୁ ଅନୁରୋଧ କରାଯାଇଛି । ଗ୍ରିଡ଼୍‌କୋ ନିକଟସ୍ଥ ସବ୍‌ଷ୍ଟେସନ୍‌କୁ ୨ ମେଗା ୱାଟ୍ ବିଦ୍ୟୁତ୍ ଯୋଗାଣ କରିବ । ରାଜ୍ୟର ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଏହି ହାଇଡ଼୍ରୋଜେନ ବସ୍ ସ୍ଥାୟୀ ସମାଧାନ ଆଣିବା ଦିଗରେ ବେଶ୍ ସହାୟକ ହେବ ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି।

ଏହି ପାଇଲଟ ପ୍ରକଳ୍ପରେ ଅଟୋମେଟିଭ୍ ରିସର୍ଚ୍ଚ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଇଜଇଓ) ୧୯.୫ କୋଟି ରାଶି ବିନିଯୋଗ କରିଛି । ପ୍ରକଳ୍ପର ସଫଳ ରୂପାୟନ ପରେ ରାଜ୍ୟରେ ଡିଜେଲ୍ ବସ୍ ବ୍ୟବହାରକୁ ହ୍ରାସ କରି ଆଗାମୀ ଦିନରେ ସବୁଜ ହାଇଡ୍ରୋଜେନ୍ ବସ୍‌କୁ ଅଧିକ ସାମିଲ କରାଯିବ ବୋଲି ନଗର ଉନ୍ନୟନ ବିଭାଗ ସୂଚନା ଦେଇଛି। ଯାହାଦ୍ୱାରା କାର୍ବନ ନିର୍ଗମନ ହ୍ରାସ ଏବଂ ଜନ ପରିବହନ ଦିଗରେ ସୁଧାର ଆଣିବା ପାଇଁ ଏଭଳି ପଦକ୍ଷେପ ସହାୟକ ହେବ ।

ଏଭଳି ଏକ ପ୍ରକଳ୍ପ ରାଜ୍ୟରେ ପ୍ରଥମ। ଅର୍ଥାତ୍‍ ରାଜ୍ୟରେ ଗ୍ରୀନ୍ ହାଇଡ୍ରୋଜେନ୍ ମୋବିଲିଟି ପ୍ରୋଜେକ୍ଟ ଦିଗରେ ଓଡ଼ିଶା ସରକାର ପ୍ରଥମ ପଦକ୍ଷେପ । ଏନେଇ ତ୍ରିପାକ୍ଷିକ ବୁଝାମଣା ପତ୍ର ଚୁକ୍ତି ସ୍ୱାକ୍ଷର ହୋଇଛି । ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଅଧିନରେ ଥିବା କ୍ୟାପିଟାଲ୍ ରିଜିୟନ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍‌), ଶକ୍ତି ବିଭାଗର ଗ୍ରିଡ଼୍ କର୍ପୋରେସନ୍ ଅଫ୍ ଓଡ଼ିଶା ଲିମିଟେଡ଼୍ (ଗ୍ରିଡ଼୍‌କୋ) ଏବଂ ଏନ୍‌ଟିପିସି ମଧ୍ୟରେ ଏହି ବୁଝାମଣା ପତ୍ର ଚୁକ୍ତି ସ୍ୱାକ୍ଷର ହୋଇଛି ।

Leave a comment