ରାଇରଙ୍ଗପୁର ବିକାଶ କ୍ଷେତ୍ରରେ ଏକ ନୂଆ ମାଇଲଷ୍ଟୋନ୍ : ମୁଖ୍ୟମନ୍ତ୍ରୀ
ରାଇରଙ୍ଗପୁର/ମୟୂରଭଞ୍ଜ, : ମୟୂରଭଞ୍ଜ ପାଇଁ ଆଜି ଏକ ଐତିହାସିକ ଦିନ। ଏଠାରେ ବହୁବିଧ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ମୟୂରଭଞ୍ଜ ତଥା ସାରା ଓଡ଼ିଶାର ନିରନ୍ତର ବିକାଶ ପ୍ରତି ଏହି ପ୍ରକଳ୍ପ ଗୁଡିକ ହେଉଛି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମିଳିତ ପ୍ରତିବଦ୍ଧତାର ପ୍ରତିଫଳନ। ଏହି ପ୍ରକଳ୍ପଗୁଡ଼ିକ କେବଳ ସାମାନ୍ୟ କୋଠା କିମ୍ବା ଭିତ୍ତିଭୂମି ନୁହେଁ; ଏହା ହେଉଛି ଉନ୍ନତ ମାନବ ସମ୍ବଳ ସୃଷ୍ଟିରେ ଆମର ନିବେଶ। ବିଶେଷକରି ଯୁବପିଢ଼ି, ଚାଷୀ, ଆଦିବାସୀ ସମ୍ପ୍ରଦାୟ ଏବଂ ମହିଳାଙ୍କ ସୁନ୍ଦର ଭବିଷ୍ୟତ ପାଇଁ ଏହା ପଥ ପ୍ରସ୍ତୁତ କରିବ। ରାଇରଙ୍ଗପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଷ୍ଟ୍ରପତି ଯେଉଁ ମାଟିର ଝିଅ, ସେ ମାଟି କେବେହେଲେ ଅବହେଳିତ ରହିପାରିବ ନାହିଁ। ଯେଉଁ ଦିନ ଠାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ପ୍ରଥମ ନାଗରିକ ହୋଇଛନ୍ତି, ସେହିଦିନ ଠାରୁ ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ପାଇଁ ବିକାଶର ଗ୍ୟାରେଣ୍ଟି ମିଳିଛି।
ଓଡ଼ିଶାର ଇତିହାସ ଏବଂ ସଂସ୍କୃତିରେ ମୟୂରଭଞ୍ଜ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏହା ଜଙ୍ଗଲ, ପାହାଡ଼, ନଦୀ, ସମୃଦ୍ଧ ଜୈବ ବିବିଧତା ଏବଂ ସ୍ପନ୍ଦନଶୀଳ ଆଦିବାସୀ ପରମ୍ପରାର ଭୂମି । ଏହା ଦେଶକୁ ମହାନ୍ ନେତା, ସ୍ୱାଧୀନତା ସଂଗ୍ରାମୀ, କଳାକାର, କ୍ରୀଡାବିତ୍, ପ୍ରଶାସକ ଏବଂ ବିଶେଷକରି ଭାରତକୁ ପ୍ରଥମ ନାଗରିକ ଉପହାର ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ବିକାଶ ଦୃଷ୍ଟିକୋଣର କେନ୍ଦ୍ରରେ ରହିଛି ଶିକ୍ଷା। ଆୟୁଷ ହସ୍ପିଟାଲ୍ ଓ ଆୟୁର୍ବେଦିକ୍ କଲେଜ୍, ଓଡ଼ିଶା କୃଷି ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟର କ୍ୟାମ୍ପସ, MSCB ବିଶ୍ବବିଦ୍ୟାଳୟରେ ସୂଚନା ପ୍ରଯୁକ୍ତିବିଦ୍ୟା କ୍ୟାମ୍ପସ, ଧନୁର୍ବିଦ୍ୟା ଏକାଡେମୀ ଗୁଡ଼ିକର ପ୍ରତିଷ୍ଠା ଉତ୍ତର ଓଡ଼ିଶାର ଦୃଶ୍ୟପଟକୁ ପରିବର୍ତ୍ତନ କରିବ। ଏହା ସହିତ ରାଇରଙ୍ଗପୁର ସହରର ବିକାଶ କ୍ଷେତ୍ରରେ ଏକ ନୂଆ ମାଇଲଷ୍ଟୋନ୍ ପଡିଛି।
କୃଷି ଆମର ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ ହୋଇ ରହିଛି। ନୂତନ OUAT କ୍ୟାମ୍ପସ୍ ସ୍ଥାନୀୟ ପରିସ୍ଥିତି ସହିତ ଉପଯୁକ୍ତ କୃଷି ଶିକ୍ଷା, ଗବେଷଣା ଏବଂ ଗୁଣାତ୍ମକ ସେବାକୁ ପ୍ରୋତ୍ସାହିତ କରିବ। ଏହା ଚାଷୀମାନଙ୍କୁ ଉନ୍ନତ ଚାଷ ପଦ୍ଧତି ଗ୍ରହଣ କରିବାରେ, ଉତ୍ପାଦକତା ବୃଦ୍ଧି କରିବାରେ ଏବଂ ଆୟ ବୃଦ୍ଧି କରିବାରେ ସାହାଯ୍ୟ କରିବ।
କ୍ରୀଡା ସର୍ବଦା ମୟୂରଭଞ୍ଜ ପାଇଁ ଗର୍ବର ଏକ ଉତ୍ସ ହୋଇଆସିଛି। ଫୁଟବଲ୍ ଠାରୁ ଆରମ୍ଭ କରି ତୀରନ୍ଦାଜୀ ଏବଂ କ୍ରୀଡାବିତ୍ ପର୍ଯ୍ୟନ୍ତ ଏହି ଜିଲ୍ଲାର ଯୁବକମାନେ ଓଡ଼ିଶା ଏବଂ ଭାରତ ପାଇଁ ଗୌରବ ଆଣିଛନ୍ତି। ଧନୁର୍ବିଦ୍ୟା ଏକାଡେମୀ ଆଦିବାସୀ ଏବଂ ଗ୍ରାମୀଣ ପୃଷ୍ଠଭୂମିର ଯୁବ ପ୍ରତିଭାକୁ ପ୍ରୋତ୍ସାହିତ କରିବା ପାଇଁ ଆଧୁନିକ ସୁବିଧା ପ୍ରଦାନ କରିବ।
ଆମ ସରକାର ବିଶ୍ୱାସ କରନ୍ତି ଯେ କ୍ରୀଡା କେବଳ ଚାମ୍ପିୟନ ସୃଷ୍ଟି କରେ ନାହିଁ ବରଂ ଯୁବପିଢ଼ିଙ୍କ ମଧ୍ୟରେ ଶୃଙ୍ଖଳା, ଆତ୍ମବିଶ୍ୱାସ ଏବଂ ଏକତା ମଧ୍ୟ ସୃଷ୍ଟି କରେ। ଶିଳ୍ପ ଗୁଡିକ ହେଉଛି ଆମ ସମୃଦ୍ଧିର ଗୋଟିଏ ଗୋଟିଏ ସ୍ତମ୍ଭ। ଏହି ପ୍ରକଳ୍ପ ଗୁଡିକ ସହିତ ଚାରୋଟି Corporate Social Responsibility ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୪୪ କୋଟି ଟଙ୍କାର ଫାଉଣ୍ଡେସନ୍ ଷ୍ଟୋନ୍ ସ୍ଥାପନ କରାଯାଉଛି। ଯାହା ରାଇରଙ୍ଗପୁର ଅଞ୍ଚଳ ପାଇଁ ଏକ ଆଶୀର୍ବାଦ ଭାବେ କାର୍ଯ୍ୟ କରିବ।
ଏଥି ସହିତ ଶିମିଳିପାଳ ଜୈବବିବିଧତାର ଉନ୍ନତି ଓ ସୁରକ୍ଷା ପ୍ରତି ଆମ ସରକାର ଯତ୍ନବାନ ଅଛନ୍ତି, ଏଥିପାଇଁ ବଜେଟ୍ରେ ୫୦ କୋଟି ଟଙ୍କା ପ୍ରାବଧାନ କରାଯାଇଛି। ମା’ କୀଚକେଶ୍ବରୀ ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟ କରଣ ପାଇଁ ୧୦୦ କୋଟି ଟଙ୍କାର ଡିପିଆର୍ ପ୍ରସ୍ତୁତ ହୋଇଛି। ମୟୂରଭଞ୍ଜର ସାମଗ୍ରିକ ବିକାଶ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ, ଏଥିପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।