ରଥଯାତ୍ରା ପାଇଁ AIର ସହଯୋଗ ନେବ ପୁରୀ ପ୍ରଶାସନ

ଏଥର ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଅତ୍ୟାଧୁନିକ ବିଜ୍ଞାନର ସହାୟତା ନେବ ପ୍ରଶାସନ। AI କ୍ୟାମେରା , ଡ୍ରୋନ୍ ସହ ଡିଜିଟାଇଜେସନର ସହଯୋଗ ନେବା ପାଇଁ ଚାଲିଛି ଯୋଜନା। ସେହିପରି ବୈଷୟିକ ସହାୟତା ନିଆଯାଇ ଅତ୍ୟାଧୁନିକ ଡ୍ରୋନ କ୍ୟାମେରା ଦ୍ବାରା ଭିଡ ନିୟନ୍ତ୍ରଣ ,ଟ୍ରାଫିକ ସୁପରିଚାଳନା କରାଯିବ। ଆସନ୍ତା ଏପ୍ରିଲ ୩୦ ତାରିଖରେ ହେବାକୁ ଥିବା ଅକ୍ଷୟ ତୃତୀୟା ଓ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ସ୍ତରରେ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ମେ ମାସ ଶେଷ ସୁଦ୍ଧା ସବୁ ବିଭାଗ ନିଜ ନିଜ କାର୍ଯ୍ୟ ସାରିବାକୁ ନିର୍ଦ୍ଧେଶ ଦିଆଯାଇଛି। ଶ୍ରୀମନ୍ଦିରରେ ନୀତି ସଂପାଦନ ,ରଥ ସାମଗ୍ରୀ ଓ ରଥ ନିର୍ମାଣ ଠାରୁ ଆରମ୍ଭ କରି ସ୍ଵାସ୍ଥ୍ୟ ଓ ପରିମଳ ସେବା,ରାସ୍ତା ଘାଟ ନିର୍ମାଣ ,ପାନୀୟ ଜଳ ଯୋଗାଣ ,ପରିବହନ ,ରେଳ ସେବା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି।
ସହରରେ ଥିବା ପ୍ରାୟ ୬୦ ପ୍ରତିଶତ ନାଳ ସଫେଇ ସରିଛି।ବଡ଼ଦାଣ୍ଡରେ ଭୂତଳ କେବୁଲିଂ କାମ ଟିପିସିଓଡିଏଲ୍ ଶେଷ କରିବାକୁ ନିର୍ଦ୍ଧେଶ ଦିଆଯାଇଛି। ସର୍କିଟ ହାଉସଠାରେ ଅନୁଷ୍ଠିତ ବୈଠକରେ ଏସପି ବିନୀତ ଅଗ୍ରୱାଲ ,ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।ପୂର୍ବ ପ୍ରସ୍ତୁତି ବୈଠକରେ ଗ୍ରହଣ କରାଯାଇଥିବା ଆକ୍ସନ ପ୍ଲାନ୍ ଅଗ୍ରଗତିର ସମୀକ୍ଷା ହୋଇଥିଲା।ଆସନ୍ତା ଅକ୍ଷୟ ତୃତୀୟା ପ୍ରଥମ ବଡ କାର୍ଯ୍ୟ। ଏଥିପାଇଁ ଆସନ୍ତା ୧୯ ତାରିଖରେ ଛତିଶା ନିଯୋଗ ବୈଠକ ବସି ଅକ୍ଷୟ ତୃତୀୟା ତିଥି ଚୁଡାନ୍ତ ହେବ। ଶ୍ରୀମନ୍ଦିର ଭିତରେ ଓ ବାହାରେ ଥିବା ସିସିଟିଭି କ୍ୟାମେରା ଦ୍ବାରା ଗହଳି ନିୟନ୍ତ୍ରଣ ,ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରାଯାଉଛି ଖ ରାପ ହୋଇଥିବା ସିସିଟିଭି କ୍ୟାମେରା ସଜଡ଼ାଯିବ ବୋଲି ଏସପି କହିଛନ୍ତି।