ଭୁବନେଶ୍ୱର ସମେତ କଟକ ଓ ଯାଜପୁରରେ ଘଡଘଡି ସହ ବର୍ଷା

0

ଦିନରେ ପାଗ ଶୁଖିଲା ଥିଲା କିନ୍ତୁ ସନ୍ଧ୍ୟାରେ ହଠାତ ରାଜଧାନୀ ସମେତ ଆଖପାଖ ଅଞ୍ଚଳରେ ଆକାଶରେ ଘୋଟି ଆସିଲା କଳା ବାଦଲ । ଚାହୁଁଚାହୁଁ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଗଲା । କେବଳ ବର୍ଷା ନୁହେଁ ବିଭିନ୍ନ ଜିଲ୍ଲାରେ ଘଡଘଡି ମଧ୍ୟ ହୋଇଛି । ବର୍ଷା କାରଣରୁ ଜନଜୀବନ ବେଶ୍ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ପବନ ବହିବା କାରଣରୁ କିଛି ସ୍ଥାନରେ ଗଛ ଡାଳ ଭାଙ୍ଗି ରାସ୍ତାରେ ପଡିଥିବାରୁ ଯାନବାହାନ ଚଳାଚଳରେ ବାଧା ଉପୁଜିଛି । ପୂର୍ବରୁ ପାଣିପାଗ ବିଭାଗ ଆକଳନ କରିଥିଲା ଯେ, ଆଜି ରାଜ୍ୟର ଅନେକ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ, ଆଜି (ସୋମବାର) ଉତ୍ତର ପ୍ରଦେଶ ଏବଂ ବିହାରରେ ବଜ୍ରପାତ କାରଣରୁ ୪ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଫତେପୁରରେ ଜଣେ ଚାଷୀ ଏବଂ ଅଯୋଧ୍ୟାରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଥିସହ ପାଟନାରେ ଜଣେ ଏବଂ ହାଜିପୁରରେ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଆସିଛି। ଆଜି ଦେଶର ୨୧ଟି ରାଜ୍ୟରେ ଝଡ଼ ଏବଂ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ।

ପଞ୍ଜାବ, ହରିୟାଣା, ରାଜସ୍ଥାନ, ଚଣ୍ଡିଗଡ଼ ଏବଂ ଦିଲ୍ଲୀରେ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି କରାଯାଇଛି। ରାଜସ୍ଥାନରେ ତାପମାତ୍ରା ବୃଦ୍ଧି ନେଇ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି ହୋଇଛି । ଅନ୍ୟପଟେ, ଦିଲ୍ଲୀରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ୫ ଦିନ ପର୍ଯ୍ୟନ୍ତ ପଞ୍ଜାବରେ ଗ୍ରୀଷ୍ମ ଲହରୀ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଆପଣଙ୍କୁ କହିରଖୁଛୁ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ମାଧ୍ୟମରେ ଲୋକମାନଙ୍କୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA)ର ମୋବାଇଲ୍ ଫୋନ୍ ଆପ୍ଲିକେସନ୍ ‘ସଚେତ୍’ ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି। ଏହି ଆପ୍ ମାଧ୍ୟମରେ ଆପଣଙ୍କୁ ବନ୍ୟା, ସୁନାମି, ଭୂସ୍ଖଳନ, ଘୂର୍ଣ୍ଣିଝଡ଼, ଝଡ଼, ହିମସ୍ଖଳନ, ବଜ୍ରପାତ ଇତ୍ୟାଦି ସମ୍ପର୍କରେ ଅପଡେଟ୍ ପ୍ରଦାନ କରିଥାଏ ।

୨୯ ଏପ୍ରିଲ ପାଇଁ ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, କେରଳ, କର୍ଣ୍ଣାଟକ ଏବଂ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି ଏବଂ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ ଏବଂ ରାଜସ୍ଥାନରେ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି କରାଯାଇଛି।

Leave a comment