ଭୁବନେଶ୍ୱରରେ ରହୁଛନ୍ତି ପାକିସ୍ତାନୀ ମହିଳା, ନୋଟିସ ଜାରି କଲା ପୋଲିସ

0

ଭୁବନେଶ୍ୱର,: ଭୁବନେଶ୍ୱରରେ ଜଣେ ପାକିସ୍ତାନୀ ମହିଳା ନାଗରିକ ରହୁଛନ୍ତି । ତାଙ୍କର ଭିସା ଶେଷ ହୋଇଯାଇଛି । ଏହା ଜଣାପଡିବା ପରେ କମିଶନରେଟ ପୋଲିସ ତାଙ୍କୁ ନୋଟିସ ଜାରି କରିଛି । ପାକିସ୍ତାନୀଙ୍କୁ ଖୋଜି ବିଦା କରିବାକୁ କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ ପରେ ପୋଲିସ ଏହି ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ।

ଡିସିପିଙ୍କ ସୂଚନା ଅନୁସାରେ, ସଂପୃକ୍ତ ପାକିସ୍ତାନୀ ମହିଳା ଦୀର୍ଘ ମିଆଦି ଭିସାରେ ୨୦୦୮ରୁ ଭୁବନେଶ୍ୱରରେ ରହୁଛନ୍ତି । ଜଣେ ଓଡ଼ିଆଙ୍କୁ ବିବାହ କରିବା ସହ ସେ ଏଠାରେ ଦୀର୍ଘ ମିଆଦି ଭିସାରେ ରହୁଥିବା ସୂଚନା ମିଳିଛି । ତେବେ ସଂପୃକ୍ତ ପାକିସ୍ତାନୀ ମହିଳାଙ୍କ ଭିସା ଅବଧି ୨୦୨୪ରେ ଶେଷ ହୋଇଯାଇଛି ।

ଅନ୍ୟପଟେ ମହିଳା ଜଣଙ୍କ ଏକଜିଟ୍ ଭିସା ପାଇଁ କମିଶନରେଟ ପୋଲିସ ନିକଟରେ ଆବେଦନ କରିଥିଲେ । ତେବେ ସେ ଆବେଦନ ପଡି ରହିଥିଲା । ଏବେ ପହଲଗାମ ଘଟଣା ପରେ ସମସ୍ତ ପାକିସ୍ତାନୀ ଭାରତ ଛାଡିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ସଂପୃକ୍ତ ପାକିସ୍ତାନୀ ମହିଳାଙ୍କୁ ମଧ୍ୟ ଭୁବନେଶ୍ୱର ଛାଡି ଯିବା ପାଇଁ ପୋଲିସ ନୋଟିସ କରିଛି ।

ସୂଚନା ଅନୁସାରେ, ଓଡ଼ିଶାରେ ୧୨ ଜଣ ପାକିସ୍ତାନୀ ନାଗରିକ ରହିଥିବା ଜଣାପଡିଛି । ଦୀଘର୍କାଳୀନ ଭିସାରେ ଏହି ପାକିସ୍ତାନୀମାନେ ଓଡ଼ିଶାରେ ଅଛନ୍ତି । ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ସେମାନଙ୍କୁ ଭାରତ ଛାଡ଼ିବାକୁ ନୋଟିସ୍ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି । ପହଲଗାମ୍ ଆତଙ୍କୀ ହମ୍‌ଲା ପରେ ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ ପୂର୍ବକ ଭିସା ବାତିଲ ସହ ର୍ସାକ ଭିସାରେ ଥିବା ପାକିସ୍ତାନ ନାଗରିକଙ୍କୁ ୪୮ ଘଂଟାରେ ଭାରତ ଛାଡ଼ିବାକୁ ମହଲତ୍ ଦିଆଯାଇଥିଲା । ମେଡିକାଲ ଭିସାରେ ଥିବା ନାଗରିକଙ୍କୁ ଏପ୍ରିଲ ୨୯ ସୁଦ୍ଧା ଭାରତ ଛାଡିବାକୁ କୁହାଯାଇଛି ।

Leave a comment