ଭାରତର ବାରବାଟୀ ବିଜୟ

0

IND vs SA T-20: ଭୁବନେଶ୍ୱର : ପ୍ରଥମେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ତୋଫାନୀ ଇନିଂସ ଓ ପରେ ବୋଲରଙ୍କ କମାଲ ଯୋଗୁଁ ଭାରତ ବାରବାଟୀରେ ବିଜୟ ହାସଲ କରିଛି । ଦକ୍ଷିଣ ଆଫ୍ରିକାକୁ ଟିମ୍ ଇଣ୍ଡିଆ ୧୦୧ ରନ୍‌ରେ ହରାଇଲା । ୧୩ ତମ ଓଭରରେ ମାତ୍ର ୭୪ ରନ୍ କରି ଦକ୍ଷିଣ ଆଫ୍ରିକା ଅଲ୍ ଆଉଟ୍ ହୋଇଛି । କଟକର ବାରବାଟୀ ଷ୍ଟାଡିୟମରେ ଆଜି (ମଙ୍ଗଳବାର) ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳା ଯାଇଛି । ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୬ ୱିକେଟ୍‌ରେ ୧୭୫ ରନ୍ କରିଥିଲା । ଦକ୍ଷିଣ ଆଫ୍ରିକାକୁ ୧୭୬ ରନ୍‌ର ଟାର୍ଗେଟ୍ ଦେଇଥିଲା । ଏହି ଲକ୍ଷ୍ୟର ପିଛା କରି ଦକ୍ଷିଣ ଆଫ୍ରିକା ମୈଦାନକୁ ଓହ୍ଲାଇ ଥିଲା ।
ଏହାର ପ୍ରାରମ୍ଭିକ ବ୍ୟାଟିଂ ଖୁବ୍ ଖରାପ ରହିଥିଲା । ପ୍ରଥମ ଓଭରରେ ଦ୍ୱିତୀୟ ବଲ୍‌ରେ ଅର୍ଶଦୀପ କ୍ୱିଟନ ଡିକାକଙ୍କୁ ଆଉଟ୍ କରିଥିଲେ । ଡିକକ ଖାତା ଖୋଲି ପାରି ନଥିଲେ । ତାଙ୍କ ପରେ ୩ୟ ଓଭରରେ ଅର୍ଶଦୀପ ଷ୍ଟବ୍ସଙ୍କୁ ମଧ୍ୟ ଆଉଟ୍ କରିଥିଲେ । ଷ୍ଟବ୍ସଙ୍କ ଖାତାରେ ୧୪ରନ୍ ଆସିଥିଲା । ଷଷ୍ଠ ଓଭରର ପ୍ରଥମ ବଲରେ ଅକ୍ଷର ପଟେଲ ଅଧିନାୟକ ଏଡେନ ମାର୍କରନ୍‌କୁ ଆଉଟ୍ କରିଥିଲେ । ମାର୍କରନ ୧୪ ରନ୍ କରି ପାରିଥିଲେ । ୭ମ ଓଭର ନେଇ ହାର୍ଦ୍ଦିକ୍ ପାଣ୍ଡ୍ୟା ଆସିଥିଲେ । ସେ ନିଜର ପ୍ରଥମ ହିଁ ବଲ୍‌ରେ ମିଲରଙ୍କୁ ଆଉଟ୍ କରିଦେଲେ । ଅର୍ଥାତ୍ ୫୦ରନ୍ ଭିତରେ ହିଁ ଦକ୍ଷିଣ ଆଫ୍ରିକାକୁ ୪ର୍ଥ ଝଟକା ଲାଗିଥିଲା । ଏହାପରେ ୮ମ ଓଭରରେ ବରୁଣ ଦକ୍ଷିଣ ଆଫ୍ରିକାକୁ ୫ମ ଝଟକା ଦେଇଥିଲେ । ଏହାପରେ ୧୦ମ ଓଭରରେ ବରୁଣ ଜାନସେନଙ୍କୁ ମଧ୍ୟ ବୋଲ୍ଡ କରି ଦେଇଥିଲେ ଏବଂ ଦକ୍ଷିଣ ଆଫ୍ରିକାକୁ ୬ଷ୍ଠ ଝଟକା ଦେଇ ଥିଲେ । ଜାନସେନ ୧୨ ରନ୍ କରି ଥିଲେ । ୧୧ତମ ଓଭରରେ ବୁମରାହ ବ୍ରେଭିସଙ୍କୁ ଆଉଟ୍ କରିଥିଲେ । ଏହି ୱିକେଟ୍ ସହ ବୁମରାହଙ୍କ ଟି-୨୦ କ୍ୟାରିୟରରେ ୧୦୦ୱିକେଟ୍ ମଧ୍ୟ ପୂରା ହୋଇଥିଲା । ଏହି ଓଭରରେ ବୁମରାହ କେଶବ ମହାରାଜଙ୍କ ମଧ୍ୟ ୱିକେଟ୍ ନେଇଥିଲେ । ୧୨ତମ ଓଭରରେ ଅକ୍ଷର ଦକ୍ଷିଣ ଆଫ୍ରିକାକୁ ୯ମ ଝଟକା ଦେଇଥିଲେ । ଏହାପରେ ପରବର୍ତ୍ତୀ ଓଭରରେ ଶୁବମ ଦୁବେ ଦକ୍ଷିଣ ଆଫ୍ରିକାକୁ ୭୪ରେ ହିଁ ଅଟକାଇ ଦେଇଥିଲେ ।
ପ୍ରଥମେ ଟିଚ ଜିତି ଦକ୍ଷିଣ ଆଫ୍ରିକାର ଅଧିନାୟକ ଏଡେନ ମାର୍କରନ ବୋଲିଂ ନିଷ୍ପତ୍ତି ନେଇଥିଲେ । ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ଭାରତର ପ୍ରାରମ୍ଭିକ ଖୁବ୍ ଖରାପ ରହିଥିଲା ଏବଂ ଶୁଭମନ ଗିଲ୍ ମାତ୍ର ୪ ରନ୍ କରି ପ୍ରଥମ ଓଭରରେ ଲୁଙ୍ଗି ଏନଗିଡିଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ । କିଛି ସମୟ ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ୧୧ ରନ୍‌ରେ ଲୁଙ୍ଗିଙ୍କ ବଲ୍‌ର ଶିକାର ହୋଇଥିଲେ । ୬ ଓଭର ପରେ ଭାରତର ସ୍କୋର ୪୦-୨ ଥିଲା । ୭ମ ଓଭରରେ ଭାରତକୁ ୩ୟ ଝଟକା ଲାଗିଥିଲା, ଯେବେ ଅଭିଷେକ ଶର୍ମା ୧୭ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ତିଳକ ବର୍ମା ଓ ଅକ୍ଷର ପଟେଲଙ୍କ ମଧ୍ୟରେ ପାର୍ଟନରସିପ୍ ଆଗେଇ ଚାଲୁଥିଲା,କିନ୍ତୁ ୧୨ତମ ଓଭରରେ ତିଳକ ବର୍ମା ୨୬ ରନ୍ କରି ଆଉଟ୍ ହୋଇଥିଲେ । ୧୪ତମ ଓଭରରେ ଭାରତକୁ ୫ମ ଝଟକା ଲାଗିଥିଲା ,ଯେବେ ଅକ୍ଷର ପଟେଲ ୨୩ ରନ୍‌ରେ ଆଉଟ୍ ହୋଇ ଥିଲେ ।
ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିବମ ଦୁବେଙ୍କ ମଧ୍ୟରେ ଭଲ ପାର୍ଟନରସିପ୍ ହୋଇଥିଲା । ଉଭୟଙ୍କ ମଧ୍ୟରେ ୧୯ଟି ବଲ୍‌ରେ ୩୩ ରନ୍‌ର ପାର୍ଟନରସିପ୍ ହୋଇଥିଲା । କିନ୍ତୁ ୧୮ ତମ ଓଭରରେ ଶିବମ ଦୁବେ ଆଉଟ୍ ହୋଇଥିଲେ । ଶିବମ ୧୧ ରନ୍ କରି ଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୨୫ଟି ବଲ୍‌ରେ ଅର୍ଦ୍ଧଶତକ ପୁରା କରିଥିଲେ । ହାର୍ଦ୍ଦିକ ୨୮ଟି ବଲ୍‌ରେ ଅପରାଜେୟ ୫୯ ରନ୍‌ର ଏକ ତୋଫାନୀ ଇଂନିସ୍ ଖେଳିଥିଲେ । ତାଙ୍କ ଦ୍ୱାରା ଭାରତ ଦକ୍ଷିଣ ଆଫ୍ରିକା ସାମ୍ନାରେ ୧୭୬ରନ୍‌ର ଏକ ଲକ୍ଷ୍ୟ ରଖି ପାରିଥିଲା । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା । ସେ ୨୮ ବଲ୍ ରୁ ୪ଟି ଛକା ଏବଂ ୬ଟି ଚୌକା ମାରି ଅପରାଜିତ ୫୯ ରନ୍ କରିଥିଲେ । ସେ ଡେଭିଡ୍ ମିଲରଙ୍କ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ମଧ୍ୟ ନେଇଥିଲେ । ମ୍ୟାଚରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରସ୍କାର ପ୍ରଦାନ କରିଥିବା ବେଳେ କ୍ରୀଡା ମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ଉପସ୍ଥିତ ଥିଲେ ।

Leave a comment