ବିହାରରେ ଏନ୍ଡିଏର କ୍ଲିନସୁଇପ
ପାଟନା (ବିହାର): ବିହାରରେ ପୁଣି ମୋଦୀ ମ୍ୟାଜିକ କାମ ଦେଇଛି । ଏନଡିଏର ଏକ ବଡ ବିଜୟ ହାସଲ କରିଛି । ବହୁମତ ହାସଲ କରି ପୁଣି ସରକାର ଗଢ଼ିବାକୁ ଯାଉଛି । ରାହୁଲ ଗାନ୍ଧିଙ୍କ ମହାଗଠବନ୍ଧନ ଫେଲ ମାରିଛି । ଏକଜାଟ ହୋଇଛି ଏକଜିଟ ପୋଲ । ବିଜେପିର ସେଲିବ୍ରେସନ ଆରମ୍ଭ ହୋଇଯାଇଛି । ୨୪୩ ବିଶିଷ୍ଟ ଆସନରୁ ୨୦୦ରୁ ଅଧିକରେ ବିଜୟ ହାସଲ କରି ଏନଡିଏ ସରକାର ଗଢିବାକୁ ଯାଉଛି । ନିଜ ନିର୍ବାଚନ ମଣ୍ଡଳୀରୁ ନୀତିଶ କୁମାର ଓ ତେଜସ୍ୱୀ ଯାଦବ ଉଭୟ ବିଜୟ ଲାଭ କରିଛନ୍ତି ।
ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ୨୦୨୫ ବିହାର ବିଧାନସଭା ନିର୍ବାଚନରେ ୨୦୩ଟି ଆସନ ଜିତି କ୍ଲିନ ସ୍ୱିପ୍ କରିଛି । ସଂଖ୍ୟାଗରିଷ୍ଠତା ୧୨୨ ଠାରୁ ଢେର ଅଧିକ ଆସନରେ ବିଜୟ ଲାଭ କରିଛି । ଏନଡିଏ ଦଳରେ ବିଜେପି ମୋଟ ୮୯ଟି ଆସନରେ ବିଜୟୀ ହୋଇଛି, ନୀତିଶ କୁମାରଙ୍କ ଜେଡିୟୁ (୮୫) ଏବଂ ଚିରାଗ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟି (୧୯) ଜିତିଛି । ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧୀନ ମହାଗଠବନ୍ଧନ ମାତ୍ର ୩୪ଟି ଆସନ ଜିତି ବହୁ ପଛରେ ପଡିଛି । ତେଜସ୍ୱୀଙ୍କ ଦଳ, ଆରଜେଡି, ଏମଜିବି ମଧ୍ୟରୁ ଏକାକି ଦୁଇ ଅଙ୍କ ଛୁଇଁଛି । ୨୦୧୦ ପରେ ୨୦୨୫ ବିଧାନସଭା ନିର୍ବାଚନ ଆରଜେଡିର ଦ୍ୱିତୀୟ ସବୁଠାରୁ ଖରାପ ପ୍ରଦର୍ଶନ । ୨୦୧୦ରେ ଆରଜେଡି ମାତ୍ର ୨୨ଟି ଆସନ ଜିତିଥିଲା ।
ଏନଡିଏ ବିପୁଳ ବିଜୟ ହାସଲ ପରେ ପୁଣି ଥରେ ନିତିଶ କୁମାର ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି । ନୀତିଶ କୁମାର ୩ ମାର୍ଚ୍ଚ ୨୦୦୦ରେ ପ୍ରଥମ ଥର ୭ ଦିନ ପାଇଁ ବିହାର ମୁଖ୍ୟମନ୍ତ୍ରୀ ହୋଇଥିଲେ । କିନ୍ତୁ ସଂଖ୍ୟା ଗରିଷ୍ଠତା ହାସଲ କରିନପାରିବାରୁ ମୁଖ୍ୟମନ୍ତ୍ରୀ ଆସନ ଛାଡିବାକୁ ପଡିଥିଲା । ୨୦୦୫ରେ ବିହାରରେ ୨ଥର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଫେବ୍ରୁଆରୀରେ କେହି ସଂଖ୍ୟା ଗରିଷ୍ଠତା ହାସଲ କରିନପାରିବାରୁ ଅକ୍ଟୋବରରେ ପୁଣିଥରେ ନିର୍ବାଚନ ହୋଇଥିଲା । ଏଥିରେ ଏନଡିଏ ବହୁମତ ହାସଲ କରି ସରକାର ଗଢିଥିଲା । ଯେଉଁ ସରକାରରେ ନୀତିଶ କୁମାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏଥର ସେ ପାଂଚ ବର୍ଷ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଏହାପରଠୁ ଆଠ ମାସ ବ୍ୟତୀତ ସେ ନିରନ୍ତର ମୁଖ୍ୟମନ୍ତ୍ରୀ ହୋଇ ଆସିଛନ୍ତି । ନୀତିଶ ଏଥର ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଏଥିସହ ରେକର୍ଡର ଅଧିକାରୀ ହେବାକୁ ଯାଉଛନ୍ତି ।