ବାହାନଗା ରେଳ ଦୁର୍ଘଟଣା ଘଟଣା; ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ

ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ଥିବା ଆଉ ଜଣଙ୍କର ଗୁରୁବାର ମୃତ୍ୟୁ ଘଟିଛି। ମୃତକ ବିହାରର ମନୀଷ କୁମାର(୨୪) ବୋଲି ଜଣାପଡ଼ିଛି। ସେ ଏସସିବିରେ ସେଣ୍ଟ୍ରାଲ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇ ଗତ ୩ ତାରିଖରେ ସେ ଏସସିବିରେ ଭର୍ତ୍ତି ହୋଇଥିଲେ। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା।
ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଏସସିବିରେ ଚିକିତ୍ସିତ ୫ ଜଣ ଆହତଙ୍କ ମୃତ୍ୟୁ ଘଟିଛି। ଏଥିସହ ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୯୩କୁ ବୃଦ୍ଧି ପାଇଛି।