ବଡ଼ ବିମାନ ଦୁର୍ଘଟଣା, ୫ ଶିଶୁଙ୍କ ସମେତ ୪୯ ଜଣଙ୍କ ମୃତ୍ୟୁ

0

Russia Plane Crash: ଋଷିଆର ପୂର୍ବ ଦିଗରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ସାଇବେରିଆର ଅଙ୍ଗାରା ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ଏହି ବିମାନଟି ଗୁରୁବାର ଦିନ ଟିଣ୍ଡା ସହରରେ ପହଞ୍ଚିବା ପୂର୍ବରୁ ରାଡାରରୁ ଅଦୃଶ୍ୟ ହୋଇଯାଇଥିଲା। ପରେ, ଟିଣ୍ଡା ବିମାନବନ୍ଦରରୁ ପ୍ରାୟ ୧୫ କିଲୋମିଟର ଦୂରରେ ଏକ ପହାଡିଆ ଜଙ୍ଗଲରେ ବିମାନର ଭଗ୍ନାବଶେଷ ମିଳିଥିଲା।

ଋଷର ସ୍ଥାନୀୟ ଗଣମାଧ୍ୟମ RT ଅନୁଯାୟୀ, ବିମାନରେ ମୋଟ ୪୯ ଜଣ ଥିଲେ। ଯେଉଁଥିରେ ୪୩ ଜଣ ଯାତ୍ରୀ (୫ ଜଣ ଶିଶୁ ସମେତ) ଏବଂ ୬ ଜଣ କ୍ରୁ ସଦସ୍ୟ ଥିଲେ। ସ୍ଥାନୀୟ ଜରୁରୀକାଳୀନ ସେବା କହିଛି ଯେ ଆକାଶ ମାର୍ଗରୁ ଯାଞ୍ଚରୁ କୌଣସି ଲୋକ ବଞ୍ଚିଥିବାର କୌଣସି ସଙ୍କେତ ଦେଖାଯାଇ ନାହିଁ, କିନ୍ତୁ ଭୂମିରୁ ସନ୍ଧାନ ଅଭିଯାନ ଏବେ ବି ଜାରି ରହିଛି। ତଥାପି କିଛି ଲୋକଙ୍କୁ ଜୀବିତ ପାଇବାର ଆଶା ରହିଛି। ଋଷର ପରିବହନ ତଦନ୍ତ କମିଟି କହିଛି ଯେ ଦୁର୍ଘଟଣାର ପ୍ରାରମ୍ଭିକ ତଦନ୍ତରେ ଯାନ୍ତ୍ରିକ ତ୍ରୁଟି ଏବଂ ପାଇଲଟ୍ ତ୍ରୁଟି ଉଭୟ ଦିଗକୁ ବିଚାରକୁ ନିଆଯାଉଛି।

ଦୁର୍ଘଟଣାଗ୍ରସ୍ତ ବିମାନଟି An-24 ମଡେଲର ଥିଲା। ଯାହା ୧୯୫୦ ଦଶକର ଶେଷ ଭାଗରେ ସୋଭିଏତ୍ ଯୁଗରେ ଡିଜାଇନ୍ କରାଯାଇଥିଲା। ଏହି ବିମାନଟି ୧୯୭୬ ମସିହାରେ ନିର୍ମିତ ହୋଇଥିଲା ଅର୍ଥାତ୍ ଏହା ପ୍ରାୟ ୫୦ ବର୍ଷ ପୁରୁଣା ଥିଲା। An-24 କୁ କଠିନ ପରିସ୍ଥିତିରେ ଉଡ଼ିବା ପାଇଁ ସକ୍ଷମ ବୋଲି ବିବେଚନା କରାଯାଏ ଏବଂ ବିଶେଷକରି ଦୁର୍ଗମ ଅଞ୍ଚଳରେ ଏହାକୁ ବ୍ୟବହାର କରାଯାଇଥାଏ। ସ୍ଥାନୀୟ ଗଣମାଧ୍ୟମରେ ଭିଡିଓ ଫୁଟେଜରେ ଦୁର୍ଘଟଣା ସ୍ଥଳରୁ ଘନ ଧୂଆଁ ବାହାରୁଥିବା ଦେଖାଯାଉଛି। ଘଟଣାସ୍ଥଳରେ ଘନ ଜଙ୍ଗଲ ରହିଛି। ଯାହା ଉଦ୍ଧାର କାର୍ଯ୍ୟରେ ଅସୁବିଧା ସୃଷ୍ଟି କରୁଛି।

ଜୁଲାଇ ୨୦୨୧ ପରେ ଏହା ଋଷରେ ପ୍ରଥମ ବଡ଼ ଯାତ୍ରୀବାହୀ ବିମାନ ଦୁର୍ଘଟଣା। ଯଦିଓ ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ପାଶ୍ଚାତ୍ୟ ଦେଶମାନଙ୍କ ଦ୍ୱାରା ଲାଗୁ ହୋଇଥିବା ପ୍ରତିବନ୍ଧକ ଯୋଗୁଁ ରୁଷର ବିମାନ ସେବା ଗୁରୁତର ଭାବରେ ପ୍ରଭାବିତ ହୋଇଛି। ବିମାନ ପାଇଁ ଆବଶ୍ୟକୀୟ ସ୍ପେୟାର ପାର୍ଟସର ଅଭାବରୁ ଅନେକ ଯାନ୍ତ୍ରିକ ତ୍ରୁଟିର ଘଟଣା ମଧ୍ଯ ରିପୋର୍ଟ ହୋଇଛି।

Leave a comment