ପ୍ରାକ ମୌସୁମୀ ବର୍ଷା ନେଇ ଚାଷୀଙ୍କ ପାଇଁ ନିର୍ଦ୍ଦେଶ ଜାରି

ଭୁବନେଶ୍ୱର: ଚଳିତ ରବି ଋତୁରେ ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି । ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ଅଦିନିଆ ବର୍ଷା ହେଉଥିବା ବେଳେ ଖୁବଶିଘ୍ର ପ୍ରାକ ମୌସମୀ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗର ଆକଳନକୁ ଦୃଷ୍ଟିରେ ରଖି ମଣ୍ଡିରେ ଧାନ ସୁରକ୍ଷା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏସମ୍ପର୍କରେ ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ସମବାୟ ସମିତି ସମୁହ ନିବନ୍ଧକ ସିଦ୍ଧାର୍ଥ ଦାସଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ସମ୍ପୃକ୍ତ ଜିଲ୍ଲା ଯୋଗାଣ ଅଧିକାରୀ, ସମବାୟ ସମିତି ଉପ ନିବନ୍ଧକ ଓ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।
ବର୍ଷାକୁ ଦୃଷ୍ଟିରେ ରଖି ଧାନକିଣା ପ୍ରକ୍ରିୟାକୁ ଚାଲୁ ରଖିବା ସହିତ ଅମଳ ଧାନର ସୁରକ୍ଷା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଆବଶ୍ୟକୀୟ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଚାଷୀମାନଙ୍କୁ ଆଗୁଆ ସଚେତନ କରାଯିବା ସହ ପାଣିପାଗ ସଂପର୍କରେ ସୂଚନା ଦିଆଯାଇଛି । ଏଥି ନିମନ୍ତେ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ମଣ୍ଡିରେ ଗଚ୍ଛିତ ଥିବା ଧାନଗୁଡ଼ିକୁ ଘୋଡେଇ ରଖିବା ନିମନ୍ତେ ଆବଶ୍ୟକ ପଲିଥିନ୍ ଯୋଗାଇଦେବା ପାଇଁ ପରାମର୍ଶ ଦିଆଯାଇଛି । ଏଥି ସହ ଅଗ୍ରାଧିକାର ଭିତ୍ତିରେ ଧାନ ଉଠାଣ ପାଇଁ ମିଲରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଧାନଗୁଡ଼ିକର ସଂରକ୍ଷଣ ଏବଂ ବର୍ଷାରୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ଅଧିକାରୀମାନଙ୍କ ପକ୍ଷରୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଉଛି । ଧାନ ରଖା ଯାଇଥିବା ସ୍ଥାନର ଚାରି ପାଖରେ ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥା ଓ ଉପଯୁକ୍ତ ସୁରକ୍ଷା ଥିବା ଗାଡି ମାଧ୍ୟମରେ ଧାନ ପରିବହନ କରିବାକୁ ମଧ୍ୟ୍ୟ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି କରାଯାଇଛି । ଏତଦବ୍ୟତୀତ ପାଣିପାଗ ଉପରେ ନଜର ରଖାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି ।
ଏତଦବ୍ୟତୀତ ପ୍ରତ୍ୟେକ ମଣ୍ଡିରେ ଅସ୍ଥାୟୀ ଆଶ୍ରୟସ୍ଥଳ, ପାନୀୟ ଜଳ, ଓ଼ଆରଏସ ବ୍ୟବସ୍ଥା ଆଦି ସୁନିଶ୍ଚିତ କରିବାକୁ ଶ୍ରୀ ଚକ୍ରବର୍ତ୍ତୀ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ମଣ୍ଡିରେ ସିସିଟିଭି ମାଧ୍ୟମରେ ତୀକ୍ଷଣ ନଜର ରଖାଯିବା ସହ ମଣ୍ଡିରୁ ମିଲକୁ ଯାଉଥିବା ଧାନ ଗୁଡିକ ଉପରେ ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ରଖିବା ପାଇଁ ବୈଠକରେ ଆଲୋଚନା ହୋଇଛି । ଉକ୍ତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସାଧାରଣ ବଣ୍ଟନ ସାଧାରଣ ପରିଚାଳକ ସୁଧାକର ଶବର, ଧାନ ସଂଗ୍ରହ ସାଧାରଣ ପରିଚାଳକ ଶ୍ରୀମତୀ ଏଲୋରା ସାମଲ, ପ୍ରଶାସନିକ ସାଧାରଣ ପରିଚାଳକ ଶ୍ରୀମତୀ ପ୍ରଣତି ପ୍ରିୟଦର୍ଶିନୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।