‘ପାକିସ୍ତାନ ସୈନିକ ଏବଂ ସରକାର ହିଁ ଦିନେ ନିଜ ଦେଶକୁ ଶେଷ କରିଦେବେ’

PM Modi Address to Nation: ‘ଅପରେସନ ସିନ୍ଦୂର’ ପରେ ଆଜି ପ୍ରଥମଥର ଦେଶବାସୀଙ୍କୁ ସମ୍ୱୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସର୍ବପ୍ରଥମେ ଭାରତର ପରାକ୍ରମୀ ସେନାଙ୍କୁ, ବୈଜ୍ଞାନିକଙ୍କୁ ସମଗ୍ର ଭାରତବାସୀଙ୍କ ତରଫରୁ ସାଲ୍ୟୁଟ୍ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏହାପରେ କହିଥିଲେ ଯେ, ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ଯେଉଁ କାଣ୍ଡ କରିଥିଲେ ତାହା ସମଗ୍ର ଦେଶକୁ ଦୋହଲାଇଦେଇଥିଲା । ପରିବାର ସାମ୍ନାରେ ନିଜ ପ୍ରିୟଜନଙ୍କୁ ବିଭତ୍ସ ଭାବେ ହତ୍ୟା କରିଥିଲେ ଆତଙ୍କବାଦୀ । ମୋ ପାଇଁ ବ୍ୟକ୍ତିଗତ ଭାବେ ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା ।
ଆକ୍ରମଣ ପରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମଗ୍ର ଦେଶ ଦାବି କରିଥିଲା । ତେଣୁ ୩ ସେନାଙ୍କୁ ସ୍ୱାଧୀନ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅପରେସନ ସିନ୍ଦୁର କେବଳ ଏକ ନାମ ନୁହେଁ । ଏହା ଦେଶର କୋଟି କୋଟି ଲୋକଙ୍କ ଭାବନାର ପ୍ରତିମ୍ୱିବ । ଅପରେସନ ସିନ୍ଦୁର ନ୍ୟାୟର ଅଖଣ୍ଡ ପ୍ରତିଜ୍ଞା ବୋଲି ମୋଦୀ କହିଛନ୍ତି । ଏଥିସହ ସେ ଏକଥା ମଧ୍ୟ କହିଥିଲେ ଯେ, ୬ ମଇରେ ଭାରତୀୟ ସେନା ପାକିସ୍ତାନରେ ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଆକ୍ରମଣ କରିଥିଲା । ଆତଙ୍କବାଦୀମାନେ ସ୍ୱପ୍ନରେ ବି ଭାବିନଥିବେ ଭାରତ ପକ୍ଷରୁ ଏପରି କରାଯିବ ବୋଲି । ଯେତେବେଳେ ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡା ଉପରେ ଭାରତ ପକ୍ଷରୁ ଆକ୍ରମଣ କରାଗଲା ସେତେବେଳେ ଆତଙ୍କବାଦୀ ଭୟରେ ଥରିବାକୁ ଲାଗିଲେ । ୧୦୦ରୁ ଅଧିକ ଆତଙ୍କବାଦୀଙ୍କ ନିପାତ କରିବାରେ ସଫଳ ହେଲା ଭାରତ । ଆତଙ୍କବାଦୀ ଆମ ଭଉଣୀମାନଙ୍କ ସିନ୍ଦୂର ପୋଛିଥିଲେ ସେଥିପାଇଁ ଆମ ଯବାନ ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ୱଂସ କରିଦେଲେ ।
ଭାରତ ଆକ୍ରମଣ ପରେ ପାକିସ୍ତାନ ହତାସ ହୋଇଗଲା । ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ପରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବା ଆରମ୍ଭ କରିଥିଲା । ପାକିସ୍ତାନର ଡ୍ରୋନ, ମିସାଇଲ୍ ଭାରତ ଭିତରକୁ ଆସିବା ସମୟରେ ଆମ ଏୟାର ଡିଭେନ୍ସ ସିଷ୍ଟମ ହିଁ ସେଗୁଡିକୁ ଆକାଶମାର୍ଗରେ ନଷ୍ଟ କରିଥିଲା । ଭାରତ ପ୍ରଥମ ୩ଦିନରେ ପାକିସ୍ତାନକୁ ଭୟାଳୁ କରିଦେଇଥିଲା । ପାକିସ୍ତାନ ସାରା ଦୁନିଆ ସାମ୍ନାରେ ଏହାକୁ ରୋକିବାକୁ ଗୁହାରି କରିଥିଲା ।
ଭାରତର ୩ସେନା ଯଥା ବାୟୁସେନା, ସ୍ଥଳସେନା, ଜଳସେନା ଆଲର୍ଟରେ ଅଛନ୍ତି । ସର୍ଜିକାଲ ଷ୍ଟ୍ରାଇକ ଏବଂ ଏୟାରଷ୍ଟ୍ରାଇକ୍ ପରେ ଅପରେସନ ସିନ୍ଦୂର ଏବେ ଭାରତର ନୀତି । ଭାରତରେ ଆତଙ୍କବାଦ ହମଲା ହେଲେ ଏହାର ମୁହଁତୋଡ ଜବାବ ଦିଆଯିବ ଆମ ନିଜସ୍ୱ ଶୈଳୀରେ । ‘ଅପରେସନ ସିନ୍ଦୂର’ ଜରିଆରେ ସମଗ୍ର ବିଶ୍ୱ ଭାରତର ଶକ୍ତି ଦେଖିଛି । ଆମେ ଆମ ନାଗରିକଙ୍କୁ ସବୁ କ୍ଷେତ୍ରରେ ବଞ୍ଚାଇବାକୁ ଲଗାତାର ଭାବେ ନିର୍ଣ୍ଣାୟକ ପଦକ୍ଷପ ଗ୍ରହଣ କରିବୁ । ସବୁ ପ୍ରକାରର ଆତଙ୍କବାଦ ବିରୋଧରେ ଆମେ ସମସ୍ତେ ଏକଜୁଟ ରହିବା ତଥା ଏକତା ସବୁଠୁ ବଡ଼ ଶକ୍ତି । ପାକିସ୍ତାନ ସୈନିକ ଏବଂ ସରକାର ଯେପରି ଆତଙ୍କବାଦୀଙ୍କୁ ପ୍ରସୟ ଦେଉଛନ୍ତି ତାହା ଗୋଟେ ଦିନ ପାକିସ୍ତାନକୁ ହିଁ ଶେଷ କରିଦେବ । ମୁଁ ସମଗ୍ର ବିଶ୍ୱକୁ କହୁଛି ଯେ, ଯଦି ପାକିସ୍ତାନ ସହ କଥା ହେବୁ ତେବେ ଆତଙ୍କବାଦୀ ଏବଂ ପିଓକେ ଉପରେ ହିଁ କଥା ହେବୁ । ‘ଭାରତ ମାତା କି ଜୟ’, ‘ଭାରତ ମାତା କି ଜୟ’, ‘ଭାରତ ମାତା କି ଜୟ’, କହି ନିଜର ଅଭିଭାଷଣ ଶେଷ କରିଛନ୍ତି ପ୍ରଧାନମନ୍ତ୍ରୀ ।