ନେତାଙ୍କୁ ଦାୟିତ୍ୱ ବାଣ୍ଟିଲା ବିଜେଡି

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ) : ବିଜେଡି ଦଳ ଭିତରେ ନେତାଙ୍କୁ ଦାୟିତ୍ୱ ଓ ପଦବୀ ମିଳିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଦଳର ଅନେକ ସଦସ୍ୟଙ୍କୁ ଦାୟିତ୍ୱ ତଥା ପଦପଦବୀ ବଣ୍ଟନ କରିଛନ୍ତି । ଏଥିରେ ସବୁ ବର୍ଗର ନେତାଙ୍କୁ ସ୍ଥାନ ମିଳିଛି । ହେଲେ ଦଳର ଚର୍ଚ୍ଚିତ ଚେହେରା ବବି ଓରଫ ପ୍ରଣବ ପ୍ରକାଶ ଦାସ ନିଜର ପୂର୍ବ ପତିଆରା ହ୍ରାସ ପାଇଛି ।
ରାଜନୈତିକ ବ୍ୟାପାର କମିଟିରେ ସଭାପତି ନବୀନ ପଟ୍ଟନାୟକ ଅଧ୍ୟକ୍ଷ ଦାୟିତ୍ୱ ନେଇଥିବା ବେଳେ ୯ ଜଣଙ୍କୁ ସଦସ୍ୟ ଭାବେ ଟିମରେ ନିଆଯାଇଛି । ଏହି ତାଲିକାରେ ବିକ୍ରମ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ସୁଦାମ ମାର୍ଣ୍ଡି, ଟୁକୁନୀ ସାହୁ, ସସ୍ମିତ ପାତ୍ର, ସନ୍ତୃପ୍ତ ମିଶ୍ର ଅଛନ୍ତି ।
ସେହିପରି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ବିଜୁ କୃଷକ ଜନତା ଦଳ ଆବାହକ ହୋଇଛନ୍ତି । ଅନଙ୍ଗ ଉଦୟ ସିଂହଦେଓ ଆଂଚଳିକ ବିକାଶ ସେଲ ଆବାହକ ହୋଇଥିବା ବେଳେ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ସମବାୟ ସେଲ ଆବାହକ ଭାବେ ନିଯୁକ୍ତି ଦିଆଯାଇଛି । ଶିକ୍ଷା ଓ ଶିକ୍ଷକ ସେଲ ଆବାହକ ଭାବେ ବଦ୍ରି ନାରାୟଣ ପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି । ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ମତ୍ସ୍ୟଜୀବୀ ସେଲ ଆବାହକ ଭାବେ ନିଯୁକ୍ତି ମିଳିଛି । ଆଦିବାସୀ ସେଲ ଆବାହକ ଭାବେ ମଙ୍ଗଳା କିଷାନ, ବରିଷ୍ଠ ନାଗରିକ ସେଲ ଆବାହକ ଭାବେ ଦେବାଶିଷ ସାମନ୍ତରାୟ, ଓବିସି ସେଲ ଆବାହକ ଭାବେ ଅରୁଣ ସାହୁ, ଏସସି ସେଲ ଆବାହକ ଭାବେ ମହେଶ ସାହୁ ଏବଂ ଆଇଟି ଓ ସାମାଜିକ ଗଣମାଧ୍ୟମ ସେଲ ଆବାହକ ଭାବେ ଅମର ପଟ୍ଟନାୟକଙ୍କୁ ଦାୟିତ୍ୱ ମିଳିଛି ।
ସେହିପରି, ବିଜେଡି ସଂଖ୍ୟାଲଘୁ ସେଲ୍ ଆବାହକ ଭାବେ ଦିଲୀପ ତିର୍କୀ ରହିଥିବା ବେଳେ ସଂଖ୍ୟାଲଘୁ ସେଲ୍ରେ ରିଜୱାନ ବେଗମ, ମୁଜବୁଲ୍ଲା (ମୁନା) ଖାନ୍, ଆୟୁବ ଖାନ୍ ଓ ଶେଖ୍ ନିଜାମୁର୍ଦ୍ଦିନଙ୍କୁ କୋର୍ଡିନେଟର ଦାୟିତ୍ୱ ମିଳିଛି ।
ସେହିପରି ବିଜେଡିର ସାଂଗଠନିକ ନିର୍ବାଚନରେ ୧୫ ଉପସଭାପତିଙ୍କ ନାଁ ଘୋଷଣା କରାଯାଇଛି । ଦେବୀ ମିଶ୍ରଙ୍କୁ ବରିଷ୍ଠ ଉପସଭାପତି (ମୁଖ୍ୟାଳୟ) ଦାୟିତ୍ୱ ମିଳିଥିବା ବେଳେ ବରିଷ୍ଠ ଉପସଭାପତି ତାଲିକାରେ ପ୍ରଫୁଲ୍ଲ ସାମଲ, ଉଷା ଦେବୀ, ବିକ୍ରମ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଚନ୍ଦ୍ରଶେଖର ସାହୁ ଓ ପ୍ରତାପ ଜେନାଙ୍କୁ ମଧ୍ୟ ମୁଖ୍ୟାଳୟ ଦାୟିତ୍ୱ ମିଳିଛି । ଉପସଭାପତି ତାଲିକାରେ ଅତନୁ ସବ୍ୟସାଚୀ ନାୟକ, ରାଜେନ୍ଦ୍ର ଢଲୋକିଆଙ୍କ ନାଁ ରହିଛି ।