ନାବାଳିକା ଅସଦାଚରଣକାରୀକୁ ୭ବର୍ଷ ଜେଲ

0

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଆଡହକ ଆଡିସନାଲ ଜିଲ୍ଲା ଓ ସେସନ୍ସ ଜଜ୍‌-କମ୍‌-ସ୍ପେଶାଲ ଫାଷ୍ଟ ଟ୍ରାକ କୋର୍ଟ-୨ ର ବିଚାରପତି ଦୂର୍ଗା ଚରଣ ମିଶ୍ର, ଗତ ୨୦୨୩ ମସିହାରେ ଚନ୍ଦକା ଥାନା ଅଂଚଳରେ ହୋଇଥିବା ଏକ ନାବାଳିକା ଅସଦାଚରଣ ମାମଲାର ବିଚାର କରି ଅଭିଯୁକ୍ତ ଭଗବାନ ଓରଫ ମଙ୍ଗୁଳି ପୂର୍ତ୍‌ତୀଙ୍କୁ ୦୭ ବର୍ଷ ଲାଗି ସଶ୍ରମ କାରାଦଣ୍ଡାଦେଶ ସହିତ ୫୦୦୦ ଟଙ୍କା ଜୋରିମନା ଆଦେଶ ଶୁଣାଇଛନ୍ତି । ଜୋରିମନା ଅନାଦେୟ କ୍ଷେତ୍ରରେ ଅଧିକ ୩ମାସର କାରାଦଣ୍ଡ ଲାଗି ମଧ୍ୟ ଆଦେଶ ଦେଇଛନ୍ତି ।

ଘଟଣାର ଅନ୍ତରାଳେ: ଅଭିଯୋଗକାରୀ ନାବାଳିକା ପୀଡ଼ିତାଙ୍କ ବାପା ଏବଂ ସେ ପରିବାର ସହ ଚନ୍ଦକା ଥାନା ଅଂଚଳରେ ରହୁଥିଲେ । ଅଭିଯୁକ୍ତ ଭଗବାନ ଓରଫ ମଙ୍ଗୁଳି ପୂର୍ତ୍‌ତୀ ତାଙ୍କ ପଡୋଶୀ । ଗତ ତା.୧୦.୦୪.୨୦୨୩ ରିଖ ସନ୍ଧ୍ୟାରେ ପୀଡ଼ିତା ତାଙ୍କ ମାଙ୍କ ସହ ଘର ଅଗଣାରେ ବସିଥିବା ବେଳେ, ଅଭିଯୁକ୍ତ ଭଗବାନ ପାଖକୁ ଆସି ବିସ୍କୁଟ କିଣି ଦେବା ଆଳରେ ମାଙ୍କ ଅଜାଣତରେ ପିଡ଼ୀତାଙ୍କୁ ସାଙ୍ଗରେ ନେଇ ପାଖ ଦୋକାନକୁ ଯାଇଥିଲେ । ବିସ୍କୁଟ କିଣିସାରିବା ପରେ ଅଭିଯୁକ୍ତ ଜଣକ ପିଡ଼ୀତାଙ୍କୁ ସାଙ୍ଗରେ ନେଇ ନିଜ ଘରକୁ ଚାଲିଯାଇଥିଲେ । କିଛି ସମୟ ପରେ ଅଭିଯୁକ୍ତଙ୍କ ଘର ଭିତରୁ ପିଡ଼ିତାଙ୍କ କାନ୍ଦ ଶୁଣି ତାଙ୍କ ମା କାହ୍ନୁ ମୁଣ୍ଡା ନାମକ ଜଣେ ସଂପର୍କୀୟ ଭାଇଙ୍କୁ ଅଭିଯୁକ୍ତଙ୍କ ଘରକୁ ଦେଖି ଆସିବା ଲାଗି ପଠାଇ ଥିଲେ । କାହ୍ନୁ ମୁଣ୍ଡା ଅଭିଯୁକ୍ତଙ୍କ ଘରେ ପହଂଚି, ପିଡ଼ିତାଙ୍କୁ ଉଲଗ୍ନ ଅବସ୍ଥାରେ କାନ୍ଦୁଥିବାର ଦେଖିବାକୁ ପାଇଥିଲେ । ହଠାତ କାହ୍ନୁଙ୍କୁ ସେଠାରେ ଦେଖି ଅଭିଯୁକ୍ତ ଜଣକ ଦୌଡ଼ି ପଳାଇ ଯାଇଥିଲେ । ପିଡ଼ିତାଙ୍କ ନିକଟରୁ ଘଟଣା ସଂପର୍କରେ ଶୁଣି ସାରିବା ପରେ ଅଭିଯୋଗକାରୀ ଏନେଇ ଥାନାରେ ଅଭିଯୋଗ କରିଥିଲେ ।

ଉପରୋକ୍ତ ମାମଲାକୁ ଭି୍‌ତିକରି ଅଭିଯୋଗକାରୀଙ୍କ ଏତାଲା ଆଧାରରେ ଚନ୍ଦକା ଥାନା କେସ ନଂ.-୧୦୮/୨୦୨୩, ଦଫା-୩୬୩/୩୭୬(ଏବି)/୩୭୬(୨)(ଏଫ), ଦଫା-୬ ପୋକସୋ ଆକ୍ଟ ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ, ଏହାର ତଦନ୍ତ ଦାଇତ୍ୱ ଏସଆଇ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ପ୍ରଧାନଙ୍କୁ ଦିଆଯାଇଥିଲା । ତଦନ୍ତକାରୀ ଅଫିସର ଶ୍ରୀମତୀ ପ୍ରଧାନ ଏହି ମାମଲାକୁ ସଠିକ ଭାବେ ତଦନ୍ତ କରିବା ସହିତ ଅଭିଯୁକ୍ତ ଭଗବାନ ଓରଫ ମଙ୍ଗୁଳି ପୂର୍ତ୍‌ତୀଙ୍କୁ ତୁରନ୍ତ ଗିରଫ କରିଥିଲେ ।
ଏହି ମାମଲାର ବିଚାର କରି ମାନ୍ୟବର ଅଦାଲତ ୧୭ ଜଣ ସାକ୍ଷୀ ଓ ପ୍ରଯୁଜ୍ୟ ଦସ୍ତାବିଜ ଗୁଡ଼ିକୁ ଆଧାର କରି ଆଜି ଅଭିଯୁକ୍ତ ଭଗବାନ ଓରଫ ମଙ୍ଗୁଳି ପୂର୍ତ୍‌ତୀଙ୍କୁ ଦଫା-୩୫୪ (ବି) ଆଧାରରେ ଉପରୋକ୍ତ ସଜା ଶୁଣାଇଛନ୍ତି । ଏହି ମାମଲାକୁ ସରକାରଙ୍କ ତରଫରୁ ସ୍ପେସାଲ ପବ୍ଲିକ୍ ପ୍ରୋସିକ୍ୟୁଟର ଶ୍ରୀ ରାଜୀବ ସାସମଲ ପରିଚାଳନା କରିଥିଲେ ।
ସୂଚନାଯୋଗ୍ୟ ଯେ, ଗତବର୍ଷ ସମୁଦାୟ ୯୨ଟି ମାମଲାରେ ଦୋଷୀ ମାନଙ୍କୁ ସଜା ଦିଆଯାଇ ସାରିଥିବା ବେଳେ, ଭୁବନେଶ୍ୱର ସହରାଂଚଳ ଜିଲ୍ଲା ତରଫରୁ ଦୋଷୀଙ୍କୁ ସଜା ହୋଇଥିବା ଚଳିତ ବର୍ଷର ଏହା ହେଉଛି ୧୪ ତମ ମାମଲା ।

Leave a comment