ନାବଳିକାକୁ ଅସଦାଚରଣ, ଅଭିଯୁକ୍ତକୁ ୨୦ବର୍ଷ ଜେଲ
ଭୁବନେଶ୍ୱର : ନାବାଳିକାକୁ ଅସଦାଚରଣ କରିବା ମାମଲାରେ ମାନ୍ୟବର ଅଦାଲତ ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କରାଦାଣ୍ଡାଦେଶ ଶୁଣାଇଛନ୍ତି ।
ଘଟଣାର ଅନ୍ତରାଳେ:ଅଭିଯୋଗକାରିଣୀ ପରିବାର ସହ ତମାଣ୍ଡୋ ଥାନା ଅଂଚଳରେ ରୁହନ୍ତି । ଗତ ତା.୨୫.୦୨.୨୦୨୧ ରିଖ ମଧ୍ୟାହ୍ନ ପ୍ରାୟ ୨ ଟା ସମୟରେ ସେ ନିଜର କିଛି ପଡୋଶୀ ମହିଳାଙ୍କ ସହ ମିଶି ଘର ନିକଟରେ କଥାବାର୍ତ୍ତା ହେଉଥିବା ବେଳେ, ଘର ଭିତରେ ତାଙ୍କର ୭ ବର୍ଷ ବୟସ୍କା ନାବାଳିକା କନ୍ୟା ଏବଂ ଦୁଇ ଯାଁଳା ପୁଅ ସାଙ୍ଗ ହୋଇ ଖେଳୁ ଥିଲେ । କଥାବାର୍ତ୍ତ ହେଉଥିବା ସମୟରେ ଅଭିଯୁକ୍ତ ରବୀନ୍ଦ୍ର ବେହେରା ତାଙ୍କ ଘର ନିକଟରେ ସନ୍ଦେହଜନକ ଅବସ୍ଥାରେ ବିଚରଣ କରୁଥିବା ନେଇ ଅଭିଯୋଗକାରିଣୀ ଦେଖିବାକୁ ପାଇଥିଲେ । ଏହାର ପନ୍ଦର ମିନିଟ ପରେ ଅଭିଯୋଗକାରିଣୀ ଅଭିଯୁକ୍ତଙ୍କୁ ଆଉ ସେଠାରେ ଦେଖିବାକୁ ପାଇନଥିଲେ । ପରେ ମନରେ ସନ୍ଦେହ ଉପୁଜିବାରୁ ସେ ତୁରନ୍ତ ଘର ଭିତରକୁ ଯାଇଥିଲେ, ଏବଂ ଭିତରେ ଅଭିଯୁକ୍ତ ଜଣକ ତାଙ୍କ ନାବାଳିକା କନ୍ୟାଙ୍କୁ ଅସଦାଚରଣ କରୁଥିବା ସ୍ୱଚକ୍ଷୁରେ ଦେଖିବାକୁ ପାଇଥିଲେ । ଏହା ଦେଖି ଅଭିଯୋଗକାରିଣୀ ଜଣକ ହତବାକ ହୋଇଯାଇଥିଲେ ଏବଂ ଅଭିଯୁକ୍ତଙ୍କ କଲର ଧରିପକାଇ ବଡପାଟି କରି ସମସ୍ତଙ୍କୁ ଡାକ ପକାଇଥିଲେ । ଏହା ଦେଖି ଅଭିଯୁକ୍ତ ଜଣକ ତାଙ୍କୁ ଏକ ଶକ୍ତ ଧକା ପକାଇ ସେଠାରୁ ଖସି ପଳାଇବା ଲାଗି ପ୍ରୟାସ କରିଥିଲେ । କିନ୍ତୁ ପାଟି ଶୁଣି ବାହାରେ ଥିବା ପଡୋଶୀ ମାନେ ସେଠାରେ ପହଂଚି
ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ପରେ ଅଭିଯୋଗକାରିଣୀ ଘଟଣା ସଂପର୍କରେ ପିସିଆରକୁ ସୂଚନା ଦେବା ସହ ଅଭିଯୁକ୍ତଙ୍କୁ ପୁଲିସ ଜିମା ଦେଇଥିଲେ ।
ଅଭିଯୋଗକାରିଣୀଙ୍କ ଅଭିଯୋଗ ଆଧାରରେ ତମାଣ୍ଡୋ ଥାନାରେ ଉପରୋକ୍ତ ମାମଲା ରୁଜୁ ହୋଇଥିଲା ଏବଂ ଏହାର ପ୍ରାଥମିକ ତଦନ୍ତ ଦାୟିତ୍ୱ ସବ୍-ଇନ୍ସପେକ୍ଟର ରାଜଶ୍ରୀ ପ୍ରଧାନଙ୍କୁ ଦିଆଯାଇଥିଲା । ଶ୍ରୀମତୀ ପ୍ରଧାନ ଏହି ମାମଲାର ତଦନ୍ତ କରିବା ସହ ଅଭିଯୁକ୍ତ ରବୀନ୍ଦ୍ର ବେହେରାଙ୍କୁ ଗିରଫ କରିଥିଲେ । ପରେ ଏହି ମାମଲାର ତଦନ୍ତ ଭାର ଇନ୍ସପେକ୍ଟର ଶ୍ରୀମତୀ ସୁଜାତା ଜେନା ବହନ କରିଥିଲେ । ସେ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅଦାଲତରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ ଦାଖଲ କରିଥିଲେ ।
ଉପରୋକ୍ତ ମାମଲାର ବିଚାର କରି, ମାନ୍ୟବର ଅଦାଲତ ଘଟଣା ସହିତ ସଂପୃକ୍ତ ୦୯ ଜଣ ସାକ୍ଷୀ ଏବଂ ୫୫ ଗୋଟି ପ୍ରଯୁଜ୍ୟ ଦସ୍ତାବିଜ ଆଧାରରେ ଆସାମୀ ରବୀନ୍ଦ୍ର ବେହେରା ଓରଫ ରବିଙ୍କୁ ପୋକସୋ ଆଇନର ଧାରା-୬ ଅନୁଯାଇ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫୦୦୦/- ଟଙ୍କା ଜୋରିମନା ଆଦେଶ ଦେଇଛନ୍ତି, ଏବଂ ଜୋରିମନା ଅନାଦେୟ କ୍ଷେତ୍ରରେ, ଅତ୍ୟଧିକ ୩ ମାସର କାରାଦଣ୍ଡ ଆଦେଶ ଦେଇଛନ୍ତି । ସେହିପରି ଭାରତୀୟ ଦଣ୍ଡ ବିଧି ଆଇନର ଧାରା-୪୫୦ ଅନୁଯାଇ ଅଭିଯୁକ୍ତଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ସହ ୩୦୦୦ ଟଙ୍କା ଜୋରିମନା ଆଦେଶ ଦେଇଛନ୍ତି ଏବଂ ଜୋରିମାନା ଅନଦେୟ କ୍ଷେତ୍ରରେ ଅଧିକ ୨ ମାସ କାରାଦଣ୍ଡ
ଲାଗି ମଧ୍ୟ ଆଦେଶ ଦେଇଛନ୍ତି । ପ୍ରକାଶ ଥାଉକି, ଅଭିଯୁକ୍ତଙ୍କ କ୍ଷେତ୍ରରେ ଶୁଣାଣି ହୋଇଥିବା ଉଭୟ ଦଣ୍ଡ ଏକ ସଙ୍ଗେ ଲାଗୁ ହେବ ।
ଏତତବ୍ୟତୀତ ମାନ୍ୟବର ଅଦାଲତ, ନାବାଳିକା ପୀଡିତାଙ୍କ ସହିତ ହୋଇଥିବା ଶାରୀରିକ ଏବଂ ମାନସିକ ଆଘାତକୁ ବିଚାର କରି, ସିଆରପିସି ର ଧାରା ୩୭୫-ଏ ଆଧାରରେ ତଥା ଓଡ଼ିଶା ପୀଡିତା କ୍ଷତିପୂରଣ ଯୋଜନା ଅନୁଯାୟୀ କ୍ଷତିପୂରଣ ରାଶି ବାବଦକୁ ୪,୦୦,୦୦୦ ଟଙ୍କା ଯୋଗାଇ ଦେବାପାଇଁ ଖୋର୍ଦ୍ଧାସ୍ଥିତ ଜିଲ୍ଲା ଆଇନଗତ ସେବା ପ୍ରାଧିକରଣକୁ ନିର୍ଦେ୍ଦଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଗତବର୍ଷ ସମୁଦାୟ ୯୨ଟି ମାମଲାରେ ଦୋଷୀ ମାନଙ୍କୁ ସଜା ଦିଆଯାଇ ସାରିଥିବା ବେଳେ, ଭୁବନେଶ୍ୱର ସହରାଂଚଳ ଜିଲ୍ଲା ତରଫରୁ ଦୋଷୀଙ୍କୁ ସଜା ହୋଇଥିବା ଚଳିତ ବର୍ଷର ଏହା ହେଉଛି ୩୭ ତମ ମାମଲା ।