ଟ୍ରକ ସହ କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଜୟପୁର ସଦର ଥାନା ପୁଲିସ୍ କୋଟିଏ ଟଙ୍କାର ଗଞ୍ଜେଇ ଜବତ କରି ୨ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ମହାରାଷ୍ଟ୍ର ଜଲଗାଓଁ ଜିଲ୍ଲା କାସୋଡ଼ା ଥାନା ଭାନଖୋଟେ ଗ୍ରାମର ଚନ୍ଦ୍ରକାନ୍ତ ସୁବାସ ପଟ୍ଟିଲ୍(୫୦) ଓ ଫାରଖଣ୍ଡି ଗ୍ରାମର ରାଜେନ୍ଦ୍ର ଦେବୀଦାସ ପାଟ୍ଟିଲ(୩୦)। ମିଳିଥିବା ରିପୋର୍ଟ ମୁତାବିକ, କୋରାପୁଟ ଆଡୁ ଜୟପୁରକୁ ଯାଉଥିବା ଏକ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ବିଶ୍ୱସ୍ତ ସୂତ୍ରରୁ ଜୟପୁର ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଏ.ମହାଙ୍କୁଡଙ୍କୁ ମିଳିଥିଲା। ଓଆଇସି ମହାଙ୍କୁଡଙ୍କ ନିର୍ଦ୍ଦେଶରେ ସବଇନ୍ସସପେକ୍ଟର ଏନ୍ କେ ଟପ୍ପୋ ଓ ପୁଲିସ୍ କର୍ମଚାରୀ ୨୬ନଂ ଜାତୀୟ ରାଜପଥର ଜୟପୁର-କୋରାପୁଟ ଘାଟିରେ ଗାଡ଼ିକୁ ଅପେକ୍ଷା କରି ରହିଥିଲେ। ପରେ ଟ୍ରକଟି ପହଂଚିବା ମାତ୍ରକେ ପୁଲିସ୍ ଟିମ୍ ଗାଡ଼ିକୁ ଅଟକାଇ ଯାଞ୍ଚ କରିବା ବେଳକୁ ଗାଡ଼ିରେ ଥିବା ୨୦୦ଟି ପ୍ୟାକେଟରୁ ୧୦୯୯ କିଲୋଗ୍ରାମ୍ ଗଞ୍ଜେଇ ମିଳିଥିଲା। ଜବତ ଗଞ୍ଜେଇର ଆନୁମାନିକ ବଜାର ଦର ୧କୋଟି ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଗିରଫ ଅଭିଯୁକ୍ତଙ୍କଠାରୁ ପୁଲିସ୍ ୨ଟି ମୋବାଇଲ ଫୋନ୍ ଜବତ କରି ଅଧିକ ତଦନ୍ତ ଚଲାଇଛି।