ଏପ୍ରିଲ ୨୪ରେ ମିଳିବ ସୁଭଦ୍ରା ଟଙ୍କା
ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଶନିବାର ଦିନ ଏକ ବଡ଼ ଘୋଷଣା କରିଛନ୍ତି। ୨୪ ଏପ୍ରିଲରେ ରାଜ୍ୟରେ ପଞ୍ଚାୟତିରାଜ ଦିବସ ପାଳନ ହେବ। ଏହି ଅବସରରେ ପୁରୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସରକାର ସୁଭଦ୍ରା ଟଙ୍କା ଯୋଗ୍ୟ ହିତାଧିକାରୀମାନଙ୍କ ଆକାଉଣ୍ଟକୁ ପଠାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ଯୋଜନାର ଷଷ୍ଠ ପର୍ଯ୍ୟାୟ ଅଧୀନରେ ଯୋଗ୍ୟ ହିତାଧିକାରୀମାନେ ଦୁଇଟି କିସ୍ତିର ୧୦,୦୦୦ ଟଙ୍କା ପାଇବେ। ଏହି ଆର୍ଥିକ ସହାୟତାରୁ ରାଜ୍ୟ ସାରା ପ୍ରାୟ ୧.୭ ଲକ୍ଷ ମହିଳା ଉପକୃତ ହେବେ ବୋଲି ଆଶା କରାଯାଉଛି। ମାର୍ଚ୍ଚ ୬ ତାରିଖରେ ଅନୁଷ୍ଠିତ ପଞ୍ଚମ ପର୍ଯ୍ୟାୟରେ ରାଜ୍ୟ ସରକାର ସୁଭଦ୍ରା ଯୋଜନା ଅଧୀନରେ ପ୍ରଥମ କିସ୍ତି ଭାବରେ ୨.୩୦ ଲକ୍ଷ ମହିଳାଙ୍କୁ ୫,୦୦୦ ଲେଖାଁଏ ଟଙ୍କା ପ୍ରଦାନ କରିଥିଲେ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ ୩୧ ମାର୍ଚ୍ଚ ୨୦୨୫ କିମ୍ବା ଏହା ପୂର୍ବରୁ ଯୋଜନାରେ ଆବେଦନ କରିଥିବା ମହିଳାମାନେ ଆଗାମୀ ପର୍ଯ୍ୟାୟରେ ସହାୟତା ରାଶି ପାଇଁ ଯୋଗ୍ୟ ରହିବେ।
ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ୧୭ ସେପ୍ଟେମ୍ବର ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଭଦ୍ରା ଯୋଜନା ଆରମ୍ଭ କରିଥିଲେ। କହିରଖୁଛୁ ଯେ ସୁଭଦ୍ରା ଯୋଜନା ଅଧୀନରେ ରାଜ୍ୟ ସରକାର ଯୋଗ୍ୟ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ବର୍ଷକୁ ଦୁଇଥର ୫,୦୦୦ ଲେଖାଁଏ ଟଙ୍କା ପ୍ରଦାନ କରନ୍ତି। ଏହି ଯୋଜନାରେ ଆବେଦନ ପାଇଁ ଜଣେ ମହିଳା ଆବେଦନକାରୀଙ୍କ ବୟସ ୨୧ ରୁ ୬୦ ବର୍ଷ ମଧ୍ୟରେ ହେବା ଆବଶ୍ୟକ। ଏହି ବୟସ ଯାଞ୍ଚ ସେମାନଙ୍କର ଆଧାର କାର୍ଡ ମାଧ୍ୟମରେ ହୋଇଥାଏ। ୧ ଜୁଲାଇ ୨୦୨୪ ସୁଦ୍ଧା ୨୧ ବର୍ଷ କିମ୍ବା ତା’ଠାରୁ ଅଧିକ କିନ୍ତୁ ୬୦ ବର୍ଷରୁ କମ୍ ବୟସର ମହିଳାମାନେ ଏହି ଯୋଜନାରେ ଆବେଦନ କରିପାରିବେ।