ଆସୁଛି ବାତ୍ୟା ‘ମନ୍ଥା’, ସରକାର ସତର୍କ
ଭୁବନେଶ୍ୱର : ବଙ୍ଗୋପସାଗରରେ ଆଜି ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ଦୁଇଦିନ ଭିତରେ ବାତ୍ୟା ରୂପ ନେଇପାରେ। ୨୭ ତାରିଖ ଅର୍ଥରତ୍ ରବିବାର ସକାଳୁ ଏହା ତାମିଲନାଡ଼ୁ, ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ଉପକୂଳରେ ପ୍ରବଳ ବର୍ଷା ଓ ପବନ ସାଙ୍ଗକୁ ଧନଜୀବନ କ୍ଷତି ଘଟାଇପାରେ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ଓଡ଼ିଶା ରାଜ୍ୟ ସରକାର ମଧ୍ୟ ଏନେଇ ଜରୁରୀ ଆବଶ୍ୟକତାକୁ ପୂରଣ କରିବା ପାଇଁ ତତ୍ପର ହୋଇଛନ୍ତି।
ପାଣିପାଗ ବିଭାଗ ପକ୍ଷରୁ ଏହି ବାତ୍ୟାର ନାଁ ରଖାଯାଇଛି ମନ୍ଥା। ଥାଇଲାଣ୍ଡ ଦ୍ୱାରା ବିଶ୍ୱ ପାଣିପାଗ ସଂଗଠନକୁ ଦିଆଯାଇଥିବା ଏହି ନାଁର ଅର୍ଥ ହେଉଛି ସୁଗନ୍ଧିତ ଫୁଲ। ଉତ୍ତର ଭାରତ ମହାସାଗରୀୟ ଅଞ୍ଚଳରେ ଥିବା ୧୩ଟି ଦେଶର ସଂଗଠନ ଦ୍ୱାରା ଏହି ନାଁ ସ୍ଥିର କରାଯାଇଥାଏ।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା କାଲି ଦକ୍ଷିଣ ପୂର୍ବ ଏବଂ କେନ୍ଦ୍ର ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ଘନୀଭୂତ ହେବ। ୨୬ ତାରିଖରେ ଅଧିକ ଘନୀଭୂତ ହେବ ଏବଂ ୨୭ରେ ଏହା ବାତ୍ୟା ରୂପ ନେଇ ଦକ୍ଷିଣ ପୂର୍ବ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଦେଇ ଗତି କରିବ। ଏହି ସମୟରେ ଓଡ଼ିଶା- ଆନ୍ଧ୍ର ଓ ତାମିଲନାଡ଼ୁ ଉପକୂଳ ଦେଇ ଗତି କରିବା ସମ୍ଭାବନା ଥିବାରୁ ଏସବୁ ରାଜ୍ୟକୁ ସତର୍କ କରାଯାଇଛି। ତେବେ ବାତ୍ୟାର ନିର୍ଦ୍ଦିଷ୍ଟ ଗତିପଥ ସ୍ପଷ୍ଟ କରାଯାଇ ନାହିଁ।
ଯେହେତୁ ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଆମକୁ ପ୍ରତି ମୁହୂର୍ତ୍ତରେ ସତର୍କ ରହିବାକୁ ପଡ଼େ। ଏହି ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ଆମର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସତର୍କ କରାଯାଇଛି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।
ସେ କହିଛନ୍ତି, ରିଲିଫ୍ କେନ୍ଦ୍ରଗୁଡ଼ିକୁ ସକ୍ରିୟ କରାଯାଇଛି। ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସେଠାକୁ ସ୍ଥାନାନ୍ତରୀତ କରାଯିବ। ଜିଲ୍ଲାଗୁଡ଼ିକରେ ଖାଦ୍ୟ ପଦାର୍ଥ ମହଜୁଦ ରଖାଯାଇଛି। ସ୍ୱାସ୍ଥ୍ୟ ବିଭାଗକୁ ସତର୍କ କରାଯାଇଛି। ଏ ସମୟରେ ସାପ କାମୁଡ଼ା ଆଶଙ୍କା ଥାଏ। ଏଣୁ ଯେପରି ଏହାର ଚିକିତ୍ସା ପିଏଚସି ସ୍ତରରେ ଉପଲବ୍ଧ ହୋଇପାରିବ ସେଥିନେଇ ବ୍ୟବସ୍ଥା କରାଯାଇଛି। ସାପକାମୁଡ଼ା ଇଞ୍ଜକ୍ସନ୍ ବିଭିନ୍ନ ପିଏଚ୍ସି ସିଏଚ୍ସିରେ ରଖାଯାଇଛି। ଗର୍ଭବତୀ ମହିଳାଙ୍କ ତଥ୍ୟ ସଂଗ୍ରହ କରାଯାଇଛି। ଜରୁରୀ ଅବସ୍ଥାରେ ସେମାନଙ୍କୁ ଯେପରି ତୁରନ୍ତ ସ୍ୱାସ୍ଥ୍ୟ ସହାୟତା ଯୋଗାଇ ଦିଆଯାଇପାରିବ ସେ ନେଇ ଜିଲ୍ଲା ପ୍ରଶାସନକୁ ସତର୍କ କରାଯାଇଥିବା ସେ କହିଛନ୍ତି। ପ୍ରାଣୀ ସମ୍ପଦ ବିଭାଗକୁ ମଧ୍ୟ ସୂଚନା କରାଯାଇଛି ବୋଲି ସେ କହିଛନ୍ତି। ସେହିପରି ଏହାସହ ସରକାରଙ୍କ ପକ୍ଷରୁ ବିଜୁଳି ଭିତ୍ତିଭୂମିକୁ ମଧ୍ୟ ସମୀକ୍ଷା କରାଯାଇଛି। ବିଜୁଳି ବିଭାଗକୁ ସତର୍କ କରାଯାଇଛି। ସେମାନେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିରେ ଯେତେ ସମ୍ଭବ କମ୍ କ୍ଷୟକ୍ଷତି ହେବ ସେଥିପ୍ରତି ସତର୍କ ରହିବେ।
ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, ୨୭ ତାରିଖରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼. ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ପ୍ରବଳ ବର୍ଷା ହେବାକୁ ଥିବାବେଳେ ୨୮ରେ ସାରା ଓଡ଼ିଶାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହିଦିନ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି।