ଆଶ୍ଚର୍ଯ୍ୟ! ଭାରତର ଏହି ଗାଁରେ ଚପଲ ପିନ୍ଧିଲେ ମିଳୁଛି ଦଣ୍ଡ

0

ଆଜିକା ସମୟରେ ଚପଲ କିମ୍ବା ଜୋତା ନପିନ୍ଧି ଘରୁ ପାଦେବି ବାହାରକୁ ବାହାରିବା ସମ୍ଭବ ନୁହେଁ। ଖରା କାଦୁଅରୁ ରକ୍ଷା ପାଇଁ ହେଉ ବା କୌଣସି ଅନୁଷ୍ଠାନରେ କାର୍ଯ୍ୟକରିବା ଅବା ଶିକ୍ଷାନୁଷ୍ଠାନରେ ପଢିବା ପାଇଁ ଜୋତା କିମ୍ବା ଚପଲ ବାଧ୍ୟତାମୂଳକ ହୋଇଛି। ତେବେ ଯଦି ଏଭଳି ସମୟରେ ଆପଣଙ୍କୁ କେହି କୁହେ ଯେ ଜୋତା କିମ୍ବା ଚପଲ ନ ପିନ୍ଧି ଦିନସାରା ବୁଲିବାକୁ। ତାହାଲେ ଆପଣ ନିହାତି ଭାବିବେ ଲୋକଟି ପାଗଳ । କିନ୍ତୁ ଦେଶରେ ଏପରି ଏକ ଗାଁ ଅଛି ଯେଉଁଠାରେ ଜଣେ ବ୍ୟକ୍ତି ନୁହଁନ୍ତି ବରଂ ସମଗ୍ର ଗାଁ ବିନା ଜୋତା ଚପଲରେ ବୁଲନ୍ତି ସେ ପୁଣି ବର୍ଷସାରା। ଏଠାକୁ ଆସୁଥିବା ଲୋକମାନେ ମଧ୍ୟ ଚପଲ ପିନ୍ଧିବାକୁ ଅନୁମତି ନାହିଁ।
ଏହି ଗାଁର ଲୋକମାନେ ଭୁଲରେ ମଧ୍ୟ ଜୋତା ଏବଂ ଚପଲ ପିନ୍ଧିବାର ସାହସ କରନ୍ତି ନାହିଁ। ଚପଲ ପିନ୍ଧିବା ତ ଦୂରର କଥା ନାଁ ଶୁଣିବା ମାତ୍ରେ ଏଠାକାର ଲୋକମାନେ କ୍ରୋଧିତ ହୋଇଯାନ୍ତି। ତାମିଲନାଡୁର ମଦୁରାଇ ଠାରୁ ୨୦ କିଲୋମିଟର ଦୂରରେ ରହିଛି ଏହି ଗାଁ। ଏହି ଗାଁର ନାମ କଲିମାୟନ୍। ଯେଉଁଠାରେ ଲୋକଙ୍କୁ ଚପଲ ପିନ୍ଧିବାକୁ ମନା ହୋଇଥାଏ।
ଏହି ଗାଁର ଲୋକମାନେ ପିଢ଼ି ପରେ ପିଢ଼ି ଏହି ପରମ୍ପରାକୁ ଅନୁସରଣ କରି ଆସୁଛନ୍ତି। ଯଦି ଗାଁର ଲୋକଙ୍କୁ କୌଣସି ସ୍ଥାନକୁ ଯିବାକୁ ଥାଏ ତେବେ ସେମାନେ ହାତରେ ଚପଲ ଧରି ଯାଇଥାନ୍ତି ଏବଂ ଗାଁ ସୀମା ପାର ହେବା ପରେ ଯାଇ ତାକୁ ପିନ୍ଧିଥାନ୍ତି। ଏବଂ ଯେତେବେଳେ ସେମାନେ ଫେରି ଆସନ୍ତି, ସେମାନେ ଗାଁ ସୀମା ପୂର୍ବରୁ ଜୋତା-ଚପଲ କାଢ଼ି ହାତରେ ଧରି ଆସିଥାନ୍ତି। ଏହି ଗାଁରେ ବର୍ଷ ବର୍ଷ ଧରି କେହି ପାଦରେ ଚପଲ କିମ୍ବା ଜୋତା ପିନ୍ଧିନଥିଲେ। ଏପରିକି ଏହି ଗାଁର ଲୋକମାନେ ନିଜ ପିଲାମାନଙ୍କୁ ଏହାକୁ ପିନ୍ଧିବାକୁ ମନା କରନ୍ତି। ଯଦି କୌଣସି ବ୍ୟକ୍ତି ଭୁଲରେ ବି ଗାଁରେ ଜୋତା କି ଚପଲ ପିନ୍ଧନ୍ତି, ତେବେ ତାଙ୍କୁ କଠୋର ଦଣ୍ଡ ଦିଆଯାଇଥାଏ। ଗାଁରେ ଜୋତା ଏବଂ ଚପଲ ନପିନ୍ଧିବା ପଛରେ ଗ୍ରାମବାସୀ ତାଙ୍କ ନିଜସ୍ଵ ଯୁକ୍ତି ଦର୍ଶାନ୍ତି। ଏହି ଗାଁର ଲୋକମାନେ ଶତାବ୍ଦୀ ଧରି ଆପାଛି ନାମକ ଦେବତାଙ୍କୁ ପୂଜା କରିଆସୁଛନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ କେବଳ ଆପାଛି ନାମକ ଦେବତା ସେମାନଙ୍କୁ ସୁରକ୍ଷା ଦିଅନ୍ତି। ଏହି ଦେବତା ପ୍ରତି ରହିଥିବା ଅସ୍ଥା କାରଣରୁ ଗାଁ ସୀମା ଭିତରେ ଜୋତା ଏବଂ ଚପଲ ପିନ୍ଧିବା ଅନୁମତି ନାହିଁ। ଜୋତା କିମ୍ବା ଚପଲ ପିନ୍ଧିବା ଦ୍ୱାରା ଦେବତାଙ୍କ ଅପମାନ ହେବବୋଲି ସେମାନେ ଭାବନ୍ତି ।

Leave a comment