ଅପରାଧକୁ ଖୋରାକ ଯୋଗାଉଛି ଜିମ୍ ସେଣ୍ଟର

ଭୁବନେଶ୍ୱର, : କମିଶନରେଟ ପୋଲିସ ଆଗରେ ଜିମ୍ ସେଣ୍ଟର ଏବେ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି । ଏହି ଜିମ୍ ସେଣ୍ଟର ଉପରେ ପୋଲିସ କିମ୍ବା ପ୍ରଶାସନର ଅଙ୍କୁଶ ରହୁନଥିବାରୁ ବିଳମ୍ବିତ ଯାଏ ଏହା ଖୋଲା ରହୁଛି । ଫଳରେ ସହରରେ ଘଟୁଥିବା ଅପରାଧ ପାଇଁ ଏହି ଜିମ୍ ସେଣ୍ଟର ଏକ ପ୍ରକାର ଖୋରାକ ଯୋଗାଉଛି । ବିଶେଷ କରି ବିଳମ୍ବିତ ରାତିରେ ଘଟୁଥିବା ଅପରାଧ ପଛରେ ଜିମ ସେଣ୍ଟରରେ ୱାର୍କ ଆଉଟ କରୁଥିବା ପିଲାଙ୍କ ହାତ ଥିବା ଜଣାପଡିଛି ।
ଗତ କିଛିବର୍ଷ ହେଲା ସହରରେ ଛତୁ ଫୁଟିଲା ପରି ଜିମ୍ ସେଣ୍ଟର ଖୋଲି ଚାଲିଛି । ବଡି ଫିଟନେସ୍ ବା ୱାର୍କ ଆଉଟ ଟ୍ରେଣ୍ଡ ଚାଲିଥିବାରୁ ଯୁବପୀଢିଙ୍କ ଠାରୁ ଆରମ୍ଭ କରି ମହିଳା ଓ ବୟସ୍କମାନେ ମଧ୍ୟ ଏବେ ଜିମ ଯିବାକୁ ଏକ ପ୍ରକାର ସଉକ କରିସାରିଲେଣି । ସାଧାରଣତଃ ସକାଳେ ଓ ସନ୍ଧ୍ୟାରେ ଜିମ ସେଣ୍ଟର ଖୋଲାରୁହେ । ମାତ୍ର ଏବେ ଅଧିକାଂଶ ଜିମ ସେଣ୍ଟର ଅହୋରାତ୍ର ଖୋଲାରହୁଛି । ଯୁବପୀଢିମାନେ ୱାର୍କ ଆଉଟ ନାଁରେ ଜିମ ସେଣ୍ଟରକୁ ଏକ ପ୍ରକାର ଖଟି ଜାଗା ଭାବେ ବାଛି ନେଇଛନ୍ତି । ଜିମ୍ ନାଁରେ ଯୁବକମାନେ ବିଳମ୍ବିତ ରାତିରେ ଘରୁ ଆସି ସକାଳେ ଫେରୁଛନ୍ତି ।
ଜିମ ସେଣ୍ଟର ଖୋଲା ରହୁଥିବାରୁ ଅନେକ ଅଭିଭାବକମାନେ ପିଲାଙ୍କ ଉପରୁ ନଜର ହଟାଇ ଦେଉଛନ୍ତି । ହେଲେ ଜିମ୍ ନାଁରେ ଘରୁ ଆସୁଥିବା ଯୁବକମାନେ ରାତିତମାମ ସହର ସାରା ଚକ୍କର କାଟିବା ସହ ନାନା ପ୍ରକାର ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । କେଉଁଠି କିଏ ଗଣ୍ଡଗୋଳ କରୁଛି ତ ଆଉ କିଏ ନିଶା ଖାଇ ରାତିତମାମ ସହର ସାରା ଚକ୍କର କାଟୁଛି । ଅନେକ ଥର ଏଭଳି ବୁଲୁଥିବା ଯୁବକମାନେ ପୋଲିସ ହାବୁଡରେ ପଡି ଜରିମାନା ଦେଇଖସୁଥିବା ନଜୀର ମଧ୍ୟ ରହିଛି ।
ନିକଟରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜଣେ ବାଉନ୍ସରକୁ ଆକ୍ରମଣ ଘଟଣାରେ ମଧ୍ୟ ଜିମ ସେଣ୍ଟର ପିଲା ସାମିଲ ଥିବା ଜଣାପଡିଛି । ଯଦିଓ ପୋଲିସ ଏନେଇ ଖୁଲାସା କରିନାହିଁ ତଥାପି ଧରାପଡିଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଅଧିକାଂଶ ଜିମ୍ ସେଣ୍ଟରରେ ୱାର୍କ କରୁଥିବା ଜଣାପଡିଛି । ଯଦି ପୋଲିସ ଅହୋରାତ୍ର ଖୋଲା ରହୁଥିବା ଜିମ୍ ସେଣ୍ଟରକୁ ନଜରଅନ୍ଦାଜ କରେ, ତେବେ ଆଗକୁ ଏହା ପୋଲିସ ପାଇଁ ବୁମେରାଂ ହେବ, ଏଥିରେ ସନ୍ଦେହ ନାହିଁ ।
ଅନ୍ୟପକ୍ଷରେ ପ୍ରଶ୍ନ ଉଠୁଛି, ବାର-ହୋଟେଲ ଓ ଦୋକାନ-ବାଜର ଖୋଲିବା ନେଇ ଏକ ନିର୍ଦ୍ଦିଷ୍ଟ ଗାଇଡଲାଇନ ରହିଥିବା ବେଳେ ଜିମ୍ ସେଣ୍ଟର ଲାଗି କୌଣସି କଟକଣା କାହିଁକି ନାହିଁ? ସହରରେ ଛତୁ ଫୁଟିଲା ଭଳି ଖୋଲୁଥିବା ଜିମ୍ ସେଣ୍ଟର କାହା କଣ୍ଟ୍ରୋଲରେ ରହିଛି? ପୋଲିସ ନା ପ୍ରଶାସନ? ସାଧାରଣରେ ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି ।